ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଲକ ଡୁମାକୁମ୍ପା ପଞ୍ଚାୟତର ଡହ ନିକଟରେ ଥିବା ନେଳୀଝୋଳା ଗ୍ରାମର ସଞ୍ଜୟ ନାୟକ ପରିବାର ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଭଞ୍ଜନଗର ମେଡ଼ିକାଲ ଆସିଥିବା ବେଳେ ସୋମବାର ରାତି ପ୍ରାୟ ୧୦ଟା ବେଳେ ତାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏହା ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଦମକଳ ବାହିନୀ ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ଘଟଣା ସ୍ଥଳରେ ପହଞ୍ଚି ପାରି ନଥିଲା । ଫଳରେ ସଞ୍ଜୟଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଲୁଗାପଟା ଓ ମୂଲ୍ୟବାନ ସାମଗ୍ରୀ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି । ପାଞ୍ଚପ୍ରାଣୀ କୁଟୁମ୍ବ ଏବେ ସଂପୂର୍ଣ୍ଣ ବେସାହାରା ଭାବେ ଅନ୍ୟ ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବର ପାଇଁ ଶୁକ୍ରବାର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ର ସଦସ୍ୟ ମାନେ ସେଠାରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହିତ କିଛି ଆର୍ଥିକ ସହାୟତା,ରାସନ ସାମଗ୍ରୀ, ଚାଉଳ, ପନିପରିବା, ପରିବାରର ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର ସହ କିଛି ପୁରୁଣା ବସ୍ତ୍ର, ବାସନ ସାମଗ୍ରୀ, ପିଲାମାନଙ୍କ ପାଠ ପଢା ପାଇଁ ପାଠ୍ୟଉପକରଣ ପ୍ରଦାନ କରିଥିଲେ । ସଞ୍ଜୟଙ୍କ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବା ଦିଗରେ ସଂଘଠନ ପକ୍ଷରୁ ପ୍ରଶାସନର ଦୁର୍ଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି।