ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ, ଓଡିଶା, ଭୁବନେଶ୍ୱର ତଥା ଜିଲ୍ଲା ପ୍ରଶାସନ, ରାୟଗଡ ତରଫରୁ ଆଜି ଚଇତି ପଡିଆ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ନିଯୁକ୍ତି ମେଳାକୁ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦ୍ଘାଟନ କରିଥିଲେ ଏବଂ ନିଜର ବକ୍ତବ୍ୟରେ କାର୍ମନିଯୁକ୍ତି ନିମନ୍ତେ ଆସିଥିବା ପ୍ରତ୍ୟାଶିମାନଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲଳିତ କୁମାର କହଁର, ତହସିଲଦାର ଗୁଣପୁର ଶରତ ଚନ୍ଦ୍ର ନାୟକ, ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଅତୁଲ କୁମାର ପଣ୍ଡା, ଓରମାସ ଅତିରିକ୍ତ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଯୁବକଯୁବତୀଙ୍କୁ ମାର୍ଗଦର୍ଶନ କରିଥିଲେ l ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନିଯୁକ୍ତି ଦାତା ଯୋଗଦାନ କରି କାଉନସେଲିଂ କରିଥିଲେ l ଏହି ମେଳାକୁ ଅନ୍ୟୁନ ୫ମରୁ-ଦଶମଶ୍ରେଣୀ, ଯୁକ୍ତ ଦୁଇ, ଯୁକ୍ତ ତିନି, ଆଇଟି ଆଇ, ଡିପ୍ଲୋମା , ଏଏନଏମ /ଜିଏନଏମ ଇତ୍ୟାଦିରେ ପାସ କରିଥବା ବେରୋଜଗାର ଯୁବକ / ଯୁବତୀ ମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଓ ପାସପୋର୍ଟ ସାଇଜର ଫୋଟୋଗ୍ରାଫ ସହିତ ଉକ୍ତ ନିଯୁକ୍ତି ମେଳାରେ ଯୋଗଦେଇଥିଲେ l ଆଜିର ମେଳାରେ ୫୨୩ ଜଣ ଯୁବକ ଯୁବତୀ ଯୋଗଦେଇଥବା ବେଳେ ସେମାନଙ୍କ ମଧ୍ୟରୁ ୨୪୯ ଜଣକୁ ଚୟନ କରାଯାଇଛି l ସିଲେଇ ତାଲିମ ୧୩ ଓ ଅନ୍ୟାନ୍ୟ ଟ୍ରେନିଂରେ ୧୪ ଜଣ ଅଂଶ ଗ୍ରହଣ କରି ଆଜିର ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ନିୟୋଜନ କାର୍ଯ୍ୟାଳୟର ଦିଲ୍ଲୀପ ପଣ୍ଡା ପରିଚାଳନା କରିଥିଲେ ।