ଅନୁସନ୍ଧାନ ଭାରତ(ବ୍ୟୁର): କୋଭିଡ ମହାମାରୀ ସମୟରେ ପିଲାମାନଙ୍କର ପାଠ ପଢା ବ୍ୟାହତ ହୋଇଥିଲା । ତେଣୁ ସେମାନଙ୍କର ଶିକ୍ଷା ବ୍ୟବଧାନକୁ ରୋକିବା ପାଇଁ ରାଜ୍ୟ ସରକାର ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ (ଏଲଆରପି) ଲାଗୁ କରିଛନ୍ତି । କିନ୍ତୁ ନିକଟରେ କୋରାପୁଟ ଜିଲ୍ଲାର ଲୋକ ସଂଗଠନ ଲୋକ ବିକାଶ ମଞ୍ଚ ଓ ମହିଳା ଲୋକ ଵିକାଶ ମଞ୍ଚ ପକ୍ଷରୁ ଜିଲ୍ଲାର ୧୯୩ ଗୋଟି ସରକାରୀ ବିଦ୍ୟାଳୟରେ ଏହି ଯୋଜନାର କାର୍ଯ୍ୟନ୍ଵୟନ ସ୍ଥିତିକୁ ନେଇ ନିକଟରେ ହୋଇଥିବା ଏକ ଫ୍ୟାକ୍ଟ-ଫାଇଣ୍ଡିଂ ରିପୋର୍ଟରୁ ଜଣାପଡିଛି ଯେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭାଗୀୟ ତତ୍ପରତା ଜରୁରୀ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତାମାନେ ଦାବି କରିଛନ୍ତି । ଜିଲ୍ଲାର ୧୨ ଗୋଟି ବ୍ଲକର ୭୮୦ ଜଣ ପିଲାଙ୍କୁ ନେଇ କରାଯାଇ ଥିବା ଏହି ଅଧ୍ୟୟନ ଜଣାପଡିଛି ଯେ ପାଖାପାଖି ୯.୬୨%ପ୍ରତିଶତ ପିଲା ଏଲଆରପି ବିଷୟରେ ଜାଣି ନ ଥିବା ବେଳେ ୧୩.୩୦୮% ପ୍ରତିଶତ ପିଲା ବେସ୍ଲାଇନ ପରୀକ୍ଷା ଦେଇନାହାନ୍ତି । ସେହିପରି ୨% ପ୍ରତିଶତ ପିଲାଙ୍କ କହିବାନୁସାରେ ଏଲଆରପି ପାଠ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ଅନେକ ପିଲା ଏଲଆରପି ପୁସ୍ତକ ଏପର୍ଯ୍ୟନ୍ତ ପାଇନାହାନ୍ତି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବା ସହ ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ (ଏଲଆରପି)ର ସୁବିଧା କେମିତି ସବୁ ପିଲାଙ୍କ ପାଖରେ ପହଞ୍ଚିବ, ସେଥିପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସଂଗଠନର ଜିଲ୍ଲାମୁଖ୍ୟ ରାମ ଚନ୍ଦ୍ର ଭତ୍ରା କହିଛନ୍ତି ।