ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ, ସମାଜରେ ସଂସ୍କାର ସୃଷ୍ଟି ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ର ଗଠନରେ ଗଣ ମାଧ୍ୟମର ଭୂମିକା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବେହେରା ଆଲୋକପାତ କରିଥିଲେ । ଅଷ୍ଟାଦଶ ଶତାବ୍ଦୀ ଠାରୁ ଏଯାବତ୍ ଗଣମାଧ୍ୟମର ପରିବର୍ତ୍ତନ କ୍ଷୀପ୍ର ଗତିରେ ଆଗେଇବାରେ ଲାଗିଛି  । ବର୍ତ୍ତମାନ ଗଣମାଧ୍ୟମ କେବଳ ମୁଦ୍ରଣ କ୍ଷେତ୍ରରେ ପ୍ରଚାର ପ୍ରସାର ହେବା ସହିତ ବୈଦ୍ୟୁତିକ ଗଣମାଧ୍ୟମରେ ଅନେକ ନୂତନତା ଆସିଛି  । ତତ୍ ସହିତ ସାମାଜିକ ଗଣମାଧ୍ୟମ ଖବର ପରିବେଷଣରେ ତଳ ସ୍ତରରୁ ମୁଖ୍ୟଭୂମିକା ଗ୍ରହଣ କରିଛି ବୋଲି ଜଣାଇଥିଲେ  । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରିୟରଞ୍ଜନ ପୃଷ୍ଟି ଯୋଗ ଦେଇ “ ଉଦ୍ଭିଦ ହିଁ ଜୀବନ” ଏଣୁ ଗଛ ମୂଳରେ ଜଳଦାନ କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ  କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଜାତୀୟ ପ୍ରେସ୍ ଦିବସ ଅବସରରେ ସମସ୍ତ ସାମ୍ବାଦିକଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ ଏବଂ ନିଜ ବକ୍ତବ୍ୟରେ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଅଭିବ୍ୟକ୍ତି ପ୍ରଦାନ କରି ଗଣମାଧ୍ୟମ ଯୋଗୁଁ ଯେ କୌଣସି ସମ୍ବାଦ ବା ଖବର ଆଜିର ଦିନରେ ଅତି କ୍ଷିପ୍ର ଗତିରେ ଜନ ସାଧାରଣଙ୍କ ନିକଟରେ ପହଞ୍ଚି ପାରୁଥିବା ପ୍ରକାଶ କରିଥିଲେ । ସମାଜର ସଂସ୍କାର ସୃଷ୍ଟି ଦିଗରେ ସମ୍ବାଦପତ୍ର ବା ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିପଦପୂର୍ଣ୍ଣ ସମୟରେ ସାମ୍ବାଦିକମାନେ ତଳ ସ୍ତରରେ ରହି କାର୍ଯ୍ୟ ସମ୍ପାଦନ କରନ୍ତି । ତେଣୁ କାର୍ଯ୍ୟ କରୁଥିବା ସଂସ୍ଥା ମଧ୍ୟ ସାମ୍ବାଦିକମାନଙ୍କ ସୁରକ୍ଷା ଦିଗରେ ପ୍ରୟାସ କରିବା ଆବଶ୍ୟକ । ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅନୁରୋଧ କ୍ରମେ ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା  । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ସମ୍ବାଦ ପରିବେଷଣ ସମୟରେ ତୃଣମୂଳ ସ୍ତରରୁ ସତ୍ୟାସତ୍ୟ ଅନୁସନ୍ଧାନ କରି ପ୍ରକୃତ ସତ୍ୟ ପ୍ରକାଶିତ ହେଲେ ତାହା ହିଁ ସମାଜର ପରିବର୍ତ୍ତନ ହେବ  ଏବଂ ଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ସାମ୍ବାଦିକମାନଙ୍କୁ ପରିଚୟ ପତ୍ର ଦେଇ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିଥିବା ଯୋଗୁଁ ଶ୍ରୀ ପଣ୍ଡା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ଶ୍ରୀକାନ୍ତ ମହାନ୍ତି  ମୁକ୍ତ ଓ ଅବାଧ ଗଣମାଧ୍ୟମ ନ ରହିଲେ ସ୍ଵେଚ୍ଛାଚାରିତା ବୃଦ୍ଧି ହେବ ଫଳରେ ଦେଶର କ୍ଷୟ କ୍ଷତି ଘଟିବ । ଅସାମାଜିକ ବ୍ଯକ୍ତି ବିଶେଷଙ୍କୁ ଅଙ୍କୁଶ ଲଗାଇବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଦୁର୍ନୀତି ଓ ଅନୀତି କମିବା ଦିଗରେ ସାମ୍ବାଦିକ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ବରିଷ୍ଠ ସାମ୍ବାଦିକ ନାରାୟଣ ମହାଙ୍କୁଡ ଯୋଗ ଦେଇ କହିଥିଲେ ଯେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରୁ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ କାର୍ଯ୍ୟକାରୀ ହେଲା । ସେହି ଦିନକୁ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଉଛି । ସମାଜର ବିକାଶରେ ସମ୍ବାଦପତ୍ର ବା ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା ରହି ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉଚିତ । ଆଜି ଗଣମାଧ୍ୟମ ସହ ଜଡିତ ସମସ୍ତଙ୍କୁ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ଶେଷରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ , ସାମ୍ବାଦିକମାନେ ହେଉଛନ୍ତି ଜାଗ୍ରତ ପ୍ରହରୀ  । ଏଣୁ ବ୍ୟାବସାୟିକ ପ୍ରତିଯୋଗୀତା ଠାରୁ ଦୂରରେ ରହି ସମ୍ବାଦ ପରିବେଷଣ କରି ପ୍ରଗତିଶୀଳ ମାନସିକତାରେ ପରିବର୍ତ୍ତନ କରିପାରିଲେ ସାମ୍ବାଦିକତାର ଓ ସାମ୍ବାଦିକମାନଙ୍କର  ମାନବୃଦ୍ଧି ଘଟିବ  । ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ବସନ୍ତ କୁମାର ମହାରଣା, ଉପ ସଭାପତି ସୁଧୀର କୁମାର ନାହାକ, ସନ୍ତୋଷ କୁମାର ମିଶ୍ର, ବିସ୍ମୟ ପ୍ରଧାନ, କେ. ସତ୍ୟ ନାରାୟଣ ରେଡ୍ଡୀ, ଇଜୁ ଆମିନ୍ ଖାନ , ହିଞ୍ଜିଳିକାଟୁ ମିଡିଆ ହାଉସର ସଂଯୋଜକ ବରିଷ୍ଟ ସାମ୍ୱାଦିକ ବସନ୍ତ କୁମାର ପଟ୍ଟନାୟକ, ସିମାଞ୍ଚଳ ନାହାକଙ୍କ ସମେତ ସମସ୍ତ ସାମ୍ବାଦିକ ବନ୍ଧୁଗଣ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ଆଲୋଚନା ଚକ୍ରକୁ ବରିଷ୍ଠ ସମାଜ ସେବୀ ଅରୁଣ କୁମାର ଶତପଥୀ ସଂଯୋଜନା କରିଥିଲେ ।