ସକାଳର ୨ୟ ସ୍ୱନକ୍ଷତ୍ର ଉପଲକ୍ଷେ ଗଜପତି ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ, ପ୍ରଥମ ସ୍ଥାନ ହାସଲ କଲେ ସୁଶୋଭନ ଓ ରୂପାଲି…..

ଅନୁସନ୍ଧାନ ଭାରତ(ବ୍ୟୁର): ‘ସକାଳ’ ଦୈନିକ ଓଡିଆ ଖବର କାଗଜର ୨ୟ ସ୍ୱନକ୍ଷତ୍ର ଅବସରରେ ୨ୟ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ୨୦୨୨ ଉପଲକ୍ଷେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମଧ୍ୟ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବିଭାଗରେ ରୂପାଲି ରଥ ଏବଂ କନିଷ୍ଠ ବିଭାଗରେ ସୁଶୋଭନ ପାତ୍ର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ କକ୍ଷ ଠାରେ ‘ସକାଳ’ର ଗଜପତି ଜିଲ୍ଲା ପ୍ରତିନିଧି ରଶ୍ମିରଂଜନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟ ତଥା କଲେଜ ଏବଂ ଉଚ୍ଚ ବିଦ୍ୟାଳୟର ସ୍ତରର ୪୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉଭୟ ବିଭାଗ ଯଥା କନିଷ୍ଠ ଓ ବରିଷ୍ଠ ବିଭାଗର ବିତର୍କ ପ୍ରତିଯୋଗିଙ୍କ ବିଚାରଣା ପାଇଁ ବରିଷ୍ଠ ଶିକ୍ଷାବିତ୍ତ ବିଚିତ୍ରାନନ୍ଦ ବେବର୍ତ୍ତା, ଭାଗବତ ପାଢୀ, ଡ. କଲ୍ୟାଣି ମିଶ୍ର, ଅଧ୍ୟାପକ ସୌଦାଗର ସିଅ, ଡ.ଚନ୍ଦ୍ରଶେଖର ଦାସ, ଅଧ୍ୟାପିକା ସ୍ୱେତା ପଟ୍ଟନାୟକ ଓ ସୁଲତା ଶୁଭଦର୍ଶିନୀ ବିଚାରକ ଭାବେ ଯୋଗଦେଇଥିଲେ । ବରିଷ୍ଠ ବିଭାଗର ପ୍ରତିଯୋଗିମାନଙ୍କ ଲାଗି “ଶ୍ରୀ ଜଗନ୍ନାଥ ତତ୍ତ୍ୱରେ ଆଧୁନିକ ଦୃଷ୍ଟିକୋଣ” ଏବଂ କନିଷ୍ଠ ବିଭାଗ ଲାଗି “ ଓଡିଆଙ୍କ ଚଳଣିରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା” ବିଷୟ ରହିଥିଲା । ପ୍ରତିଯୋଗିତା କାର୍ଯ୍ୟକ୍ରମ ପରେ ବିଚାରକଙ୍କ ଦ୍ୱାରା ଫଳ ପ୍ରକାଶିତ କରାଯାଇଥିଲା । ବରିଷ୍ଠ ବିଭାଗରେ ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ର ବିଦ୍ୟାଳୟ ଗଜପତିର ରୂପାଲି ରଥ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବର୍ଷା ରାଉତ ଦ୍ୱିତୀୟ ସ୍ଥାନ ଏବଂ ରାଜେଶ୍ୱରୀ ସ୍ୱାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି କନିଷ୍ଠ ବିଭାଗରେ ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୁଶୋଭନ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁଣି ସେହି ବିଦ୍ୟାଳୟର ସୁଧାକର ପଣ୍ଡା ଦ୍ୱିତୀୟ ସ୍ଥାନ ଏବଂ ପାରଳାଖେମୁଣ୍ଡିସ୍ଥ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ସୁମନ ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ପ୍ରଶାସକ ତଥା ଡେପୁଟି କଲେକ୍ଟର କିରଣ କୁମାର ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରି ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କବିତା ପାଠ, ଛାତ୍ରଛାତ୍ରୀଙ୍କୁ ବିତର୍କ ପ୍ରତିଯୋଗିତାରେ ଉତ୍ସାହିତ କରିବାପାଇଁ ବିଭିନ୍ନ କଥାପଦକୁ କବିତା ପାଠ ମାଧ୍ୟମରେ ଅତି ପ୍ରାଞ୍ଚାଳ ଭାବେ ପଠନ କରିଥିଲେ । ସେହିପରି ପ୍ରତିଯୋଗିତାର ବିଚାରକମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ମୁଖ୍ୟଅତିଥି ଓ ବିଚାରକମାନେ କୃତୀ ଛାତ୍ରଛାତ୍ରୀ ଓ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହାସହ ମୁଖ୍ୟ ଅତିଥି ଏବଂ ସମସ୍ତ ବିଚାରକମଣ୍ଡଳୀଙ୍କୁ ସକାଳର ଜିଲ୍ଲା ପ୍ରତିନିଧି ଏବଂ ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ସରୋଜ କୁମାର ବୀର ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ । ଏହିସମସ୍ତ କାର୍ଯ୍ୟକ୍ରମକୁ ନନ୍ଦିଘୋଷ ଟିଭି ଚ୍ୟାନାଲର ଜିଲ୍ଲା ପ୍ରତିନିଧି ସରୋଜ କୁମାର ବୀର ପରିଚାଳନା କରିଥିବା ବେଳେ ଗୋଷାଣୀ ବ୍ଲକର ସକାଳ ପ୍ରତିନିଧି ନରସିଂହ ପ୍ରସାଦ ପଟ୍ଟନାୟକ, ଗୁମ୍ମା ବ୍ଲକ ପ୍ରତିନିଧି ଋଷକେଶ ଦଳାଇ, କାଶୀନଗର ବ୍ଲକର ରାଜେଶ ମିଶାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକୁ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ରାମଶଙ୍କର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଖବରକାଗଜ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ଜିଲ୍ଲା ଏବଂ ବ୍ଲକସ୍ତରୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।