ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁଙ୍କ ଅନୁରୋଧ କ୍ରମେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଏବଂ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ମଞ୍ଚାସିନ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ଏବଂ କିଭଳି ତାହାର ସମାଧାନ ହୋଇପାରିବ ତାହା ଉପରେ ବିଶେଷ ଆଲୋଚନା ହୋଇଯାଇଛି I ଘୁ.ଉଦୟଗିରି ଏବଂ ଗ୍ରେସିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ର ର ମରାମତି, ଶବ ବ୍ୟବଚ୍ଛେଦ ଗୃହକୁ ଯିବା ନିମନ୍ତେ ରାସ୍ତା ଓ ବିଦ୍ୟୁତିକରଣ ଓ ସିକଲସେଲ ରୋଗୀଙ୍କ ପରୀକ୍ଷା ଗୃହ, ରକ୍ତଭଣ୍ଡାର ପ୍ରତିଷ୍ଠା, ଅଧାପନ୍ତରିଆ ଗୃହ ମାନଙ୍କ ପୁନଃରୁଦ୍ଧାର ସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯଥାଶୀଘ୍ର ହସ୍ତାନ୍ତର କରିବା, ରୋଗୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି I ମହିଳା ଓ ଶିଶୁ ରୋଗ ବିଶେଷଜ୍ଞ ଦକ୍ଷ ଚିକିତ୍ସକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି କରାଯିବା ପାଇଁ ପ୍ରସ୍ତାବିତ ହୋଇଥିଲା I ଶବ ସଂରକ୍ଷଣ ଗୃହ ନିର୍ମାଣ ଇତ୍ୟାଦି ସମ୍ପର୍କରେ ଗୁରୁତ୍ୱର ସହ ଆଲୋଚନା ହୋଇଯାଇଛି I ବିଭିନ୍ନ ସମସ୍ୟା ଉପରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଉପସ୍ଥିତ ବିଭିନ୍ନ ପଦାଧିକାରୀ ଙ୍କ ସହ ଆଲୋଚନା କରିଥିଲେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ I ବିଭିନ୍ନ ବିଭାଗ ଦ୍ୱାରା ଯଥାଶୀଘ୍ର କାର୍ଯ୍ୟ ସମ୍ପାଦନ କରିବା ପାଇଁ ବିଧାୟକ ସାଲୁଗା ପ୍ରଧାନ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ I ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁ ଉପସ୍ଥିତ ସମସ୍ତ ଭଦ୍ର ମଣ୍ଡଳୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I