ଶାଶୁ ଘର ଆଗରେ ବୋହୁର ଧାରଣା ପ୍ରସଙ୍ଗ, ସ୍ଥିତି ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା…..

ଅନୁସନ୍ଧାନ ଭାରତ(ବ୍ୟୁର): ଜଗନ୍ନାଥ ପ୍ରସାଦ ବ୍ଲକ ତାରାସିଙ୍ଗି ଥାନା ଅଧିନ କୋକଳବା ଗ୍ରାମରେ ଆଜକୁ ୬ ଦିନ ହେବ ଶାଶୁଙ୍କ ଘର ସମ୍ମୁଖରେ ଦିବ୍ୟାଙ୍ଗ ବୋହୁ ଗୀତାଞ୍ଜଳି ପ୍ରଧାନ ନ୍ୟାୟ ଦାବିରେ ଧାରଣାରେ ବସିଥିବା ବେଳେ ଗୁରୁବାର ରାଜ୍ୟ ମହିଳା କମିଶନ ଅଧକ୍ଷା ନମିତା ବେହେରା, ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ଭଞ୍ଜନଗର ସିଡ଼ିପିଓ, ଜଗନ୍ନାଥ ପ୍ରସାଦ ସିଡିପିଓ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ପରେ ଗୀତାଞ୍ଜଳିଙ୍କ ପରିବାର ଏବଂ ସ୍ୱାମୀ ଶିବରାମ ପ୍ରଧାନଙ୍କ ପରିବାର ଲୋକଙ୍କୁ ତାରାସିଙ୍ଗି ଥାନା ପରିସରକୁ ଡକାଇ ସେଠାରେ ଉଭୟ ପକ୍ଷଙ୍କୁ ନେଇ ଆପୋସ ସମାଧନ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ୱାମୀ ଶିବରାମ ଗ୍ରାମରେ ଉପସ୍ଥିତ ନଥିବାରୁ ଘଟଣାର ସମ୍ପୂର୍ଣ ସମାଧାନ ହୋଇପାରି ନାହିଁ । କିନ୍ତୁ ପୁଲିସ ଉପସ୍ଥିତିରେ ମହିଳା କମିଶନ ଅଧ୍ୟକ୍ଷl ଏକ ମାସ ମଧ୍ୟରେ ତାଙ୍କ ସ୍ୱାମୀଙ୍କୁ ଖୋଜି ଆଣି ପୁନଃ ବୁଝାସୁଝା କରି ଯେପରି ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ସମାଧାନ ହୋଇପାରିବ ପୁଣି ଚେଷ୍ଟା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ୱାମୀଙ୍କ ବାରଣ୍ଡାରେ ଧାରଣାରେ ବସିଥିବା ସ୍ତ୍ରୀ ଗୀତାଞ୍ଜଳିଙ୍କ ସୁରକ୍ଷା ଦୁଷ୍ଟିରୁ ତାଙ୍କୁ ଏକ ମାସ ବାପ ଘରକୁ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି । ଗୀତାଞ୍ଜଳି ମଧ୍ୟ ମହିଳା କମିଶନ ଅଧକ୍ଷା ଓ ଥାନା ଅଧିକାରୀଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ନିଜ ବାପ ଘରକୁ ଯିବା ପାଇଁ ରାଜି ହୋଇଛନ୍ତି । ଯଦି ଏକ ମାସ ମଧ୍ୟରେ ଗୀତାଞ୍ଜଳିଙ୍କୁ ନ୍ୟାୟ ନ ମିଳେ ସେ ପୁଣି ଥରେ ସ୍ୱାମୀଙ୍କ ବାରଣ୍ଡାରେ ଧାରଣାରେ ବସିବା ସହ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ପ୍ରକାଶ ଥାଉକି, କୋକଳବା ଗ୍ରାମର ଦିଗାମ୍ବର ପ୍ରଧାନଙ୍କ ପୁଅ ଶିବରାମ ପ୍ରଧାନ ୨୦୧୭ ମସିହାରେ ଗାଙ୍ଗପୁର ଥାନା ବାଙ୍କଲିଡି ଗ୍ରାମର ଭାଗିରଥି ପ୍ରଧାନଙ୍କ ଝିଅ ଗୀତାଞ୍ଜଳି ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିଛି ବର୍ଷ ବେଶ ହସଖୁସିରେ ବିତିବା ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା । ପୁଅ ଜନ୍ମ ହେବାର ଏକ ବର୍ଷ ପରେ ଶାଶୁ, ଦେଢ଼ ଶାଶୁ, ସ୍ୱାମୀ ମିଶି ଗୀତାଞ୍ଜଳିଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ । ଅଧିକ ଯୌତୁକ ଦାବି କରି ବାପ ଘରକୁ ବିଦା କରିଦେଲେ । ସେବେ ଠାରୁ ନ୍ୟାୟ ପାଇବା ପାଇଁ ସେ ଆଇନର ଆଶ୍ରୟ ନେଇ ଥିଲେ । କିନ୍ତୁ କିଛି ସୁଫଳ ମିଳିନଥିଲା । ଶେଷରେ ସ୍ବାମୀଙ୍କ ଦ୍ୱିତୀୟ ବିବାହ ହେବାକୁ ଯାଉଥିବା ଜାଣି ପାରି ବାଧ୍ୟ ହୋଇ ଶାଶୁଘର ବାରଣ୍ଡାରେ ଧାରଣା ଦେଇଥିଲେ ।