୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ ଘଟଣା,କ୍ଷତି ପୁରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତାରୋକ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁରୁବାର ସନ୍ଧ୍ୟାରେ ବିଦ୍ୟୁତ୍ ଆଘାତ ଯୋଗୁଁ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୂ.ନୂଆଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି I ଖବରରୁ ଜଣା ପଡ଼ିଛି ଘୂ.ନୂଆଁଗାଁରେ ଶମ୍ଭୁ ପରିଡ଼ାଙ୍କ ପୁଅ ମୁରଲୀ ପରିଡ଼ା (୪୨) ଏକ ଗୁଡ଼ି, ବାଲିର ଗୋଦାମ କରିଥିଲେ I ଗୁରୁବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ଗାଡ଼ି ଆସିବା ଯୋଗୁଁ ମୁରଲୀ ଗୋଦାମ ଫାଟକକୁ ଖୋଲିବା ସମୟରେ ସେଥିରେ ଲାଗିଥିବା ଏକ ରଡକୁ ଅସାବଧାନତା ବଶତଃ ଉପରକୁ ଟେକି ଦେଇଥିଲେ I ରଡଟି ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଯିବାରୁ ବିଦ୍ୟୁତ୍ ଆଘାତରେ ମୁରଲୀଙ୍କର ଶରୀରର ଶତକଡ଼ା ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲା I ସଙ୍ଗେ ସଙ୍ଗେ କିଛି ଲୋକ ମୂରଲୀଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ I ସେଠାରେ ଡ଼ାକ୍ତର ମୂରଲୀଙ୍କୁ ମୃତ ଘୋଷଣା କରିଥିଲେ I ଖବର ପାଇ ବେଲଗୁଣ୍ଠା ପୁଲିସ୍ ମେଡ଼ିକାଲରେ ପହଞ୍ଚି ମୂରଲୀଙ୍କ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ I ଶୁକ୍ରବାର ମୂରଲୀଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା I କିନ୍ତୁ ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ମୁରଲୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୂରଲୀଙ୍କ ଶବକୁ ରାସ୍ତା ଉପରେ ରଖି ଭଞ୍ଜନଗର – ବେଲଗୁଣ୍ଠା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ I ମୁରଲୀଙ୍କ ମାଆଙ୍କ ଅଭିଯୋଗ ପ୍ରକାରେ ମୁରଲୀଙ୍କ ଗୋଦାମ ଉପରୁ ଏଗାର କେଭି ତାର ହଟାଇବା ପାଇଁ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ବିଭାଗ ଏହା ପ୍ରତି କର୍ଣ୍ଣପାତ କରିନଥିଲେ I ତେଣୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ଏବଂ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଦିନ ବାର ଘଣ୍ଟା ତିରିଶ ମିନିଟ୍ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ I ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ତହସିଲଦାର ମନୋଜ ପ୍ରଭାକର କୁଜୁରୁ, ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ରାଜସ୍ଵ ନିରୀକ୍ଷକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।