ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ ସମିଳନୀ ଗୃହ ଠାରେ ସୋମବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏଥିରେ ଯୋଗ ଦେଇ ଅଭିଯୋଗ ଶୁଣାଣି କରିଥିଲେ । ସମୁଦାୟ ୧୭୨ ଟି ଅଭିଯୋଗର ପତ୍ର ଗ୍ରହଣ କରାଯାଇଥିବା ବେଳେ ତ୍ୱରିତ ଭାବେ ୨୮ଟି ଅଭିଯୋଗ ଫଇସଲା ହୋଇଛି । ଶିବିରରେ ଦୁଇ ଜଣ ଭିନ୍ନକ୍ଷମଙ୍କୁ ଗୋଟିଏ ହୁଇଲି ଚେୟାର, ଆଶାବାଡି ସହାୟତା ଯୋଗାଇ ଦିଆଯାଇଛି । ଏଥି ସହିତ ଜିଲ୍ଲାପାଳ ୧୪ ଜଣଙ୍କୁ ଜଙ୍ଗଲ ଜମିପଟା ବଣ୍ଟନ କରିଥିବା ବେଳେ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । 


ଗ୍ରହଣ କରାଯାଇଥିବା ଆବେଦନଗୁଡିକର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ,ଏସ.ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ବି.ଡ଼ି.ଓ.ଶଶୀ ଭୂଷଣ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାଶ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁସା ମୁଣ୍ଡା, ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ,ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମେତ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଥିଲେ।