ଅନୁସନ୍ଧାନ ଭାରତ(ବ୍ୟୁର): କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି । ଭକ୍ତମାନେ ଏହି ମାସର ସୋମବାର, ବଡ଼ ଏକାଦଶୀ, ପଞ୍ଚୁକ, ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଭଳି ପବିତ୍ର ଦିନ ଗୁଡିକରେ ରୀତିନୀତି ଅନୁସାରେ ପୂଜାପାଠ କରନ୍ତି । ଅନେକେ ବ୍ରତ ଓ ଉପବାସ ପାଳନ କରିବା ସହ ହବିଷ୍ୟାଳିମାନେ ମଧ୍ୟାହ୍ନରେ ଶୁଦ୍ଧ ଶାକାହାରି ଅନ୍ନ ଭୋଜନ କରନ୍ତି । ମାସସାରା ଶ୍ରଦ୍ଧାଳୁମାନେ ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ଦେବାଳୟ ଗୁଡ଼ିକରେ କାର୍ତ୍ତିକ ପୁରାଣ, ଭଜନ ଓ ସଂକୀର୍ତ୍ତନରେ ମଜ୍ଜି ଯାଆନ୍ତି । ଯାହାଫଳରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ । ଶିବଭକ୍ତମାନେ ସକାଳୁ ସକାଳୁ ବିଭିନ୍ନ ନଦୀ, ଜଳାଶୟ ଓ ଭଞ୍ଜନଗର ଜଳଭଣ୍ଡାରରେ ସ୍ନାନ ସାରି ବୃନ୍ଦାବତୀଙ୍କ ନିକଟରେ ରୀତିନୀତି ସହକାରେ ପୂଜା କରିବା ପରେ ହାତରେ ବିଭିନ୍ନ ଫୁଲ, ଫଳ ଓ ଭୋଗସାମଗ୍ରୀ ଧରି ନିକଟସ୍ଥ ବେଲେଶ୍ୱର ପୀଠ, ଭେଜିପୁଟ ଗୁପ୍ତେଶ୍ଵର ଶିବ ମନ୍ଦିର, ଢୁଢୁଆ ବାଂଛେଶ୍ବର ମନ୍ଦିର, କର୍ପୋରେସନ ଶିବ ମନ୍ଦିର, ରଘୁନାଥ ମନ୍ଦିର, ଜାମପଲି ଝାଙ୍କରେଇ ମନ୍ଦିର, ଗୋଲା ପଡାର ସ୍ବପନେଶ୍ବର ମନ୍ଦିର, ଲାଲସିଙ୍ଗ ଓ ଛେଦାଭୂମି ଶିବ ମନ୍ଦିର ସମେତ ଅନ୍ୟାନ୍ୟ ଦେବାଳୟ ଗୁଡିକରେ ପ୍ରବଳ ଭିଡ଼ ଜମେଇଥିବା ପରିଲକ୍ଷିତ ହୋଇଥିଲା । ବିଭନ୍ନ ସ୍ଥାନରେ ସଂକୀର୍ତ୍ତନ ମଣ୍ଡଳୀ ନିଜ ନିଜ ଅଞ୍ଚଳରେ ପରିକ୍ରମା କରିଥିଲେ ।