କୁଏତ:ରାଜନୀତି ଏକ ସାଧାରଣ କ୍ଷେତ୍ର ନୁହେଁ । ଏଥିରେ ପାଦ ଦେବା ତିଷ୍ଠିବା ଆଉ ନୀତି ଆଦର୍ଶରେ କାର୍ଯ୍ୟକରିବା ସହଜ ନୁହେଁ । ବହୁ ନେତା ଏହି କ୍ଷେତ୍ରରେ ରହି ନିଜର ପରିଚୟ ସୃଷ୍ଟି କରିଛନ୍ତି ତ ଆଉ କେହି ଏହି କ୍ଷେତ୍ରରେ ନିଜର ଆଦର୍ଶକୁ ପାଦରେ ଦଳି ଚକଟି ନଷ୍ଟ କରିଦେଇଥାଆନ୍ତି । ସରକାରୀ ଚାକିରିକୁ ଛାଡି ରାଜନୀତିକୁ ଆଦର୍ଶ ମାନିଥିବା ନେତା ହେଉଛନ୍ତି ବିଷ୍ଣୁ ସେଠୀ। ଆମ ଗହଣରେ ଆଉ ନାହାନ୍ତି ସରକାରଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରୁଥିବା ବିଜେପି ନେତା ବିଷ୍ଣୁ ସେଠୀ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ପ୍ରବାସୀ ଭାରତୀୟ ସଂଘ କୁଏତର ଏରିଆ ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଂଜନ ସାହୁ ଙ୍କ ସମେତ କେନ୍ଦ୍ରୀୟ କମିଟି ର କର୍ମକର୍ତ୍ତା ଶ୍ରୀଯୁକ୍ତ ଘନଶ୍ୟାମ ପଳାଇ, ଶ୍ରୀଯୁକ୍ତ ଅଶୋକ ସ୍ୱାଇଁ, ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଜେନା, ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ, ଶ୍ରୀଯୁକ୍ତ ଯଶୋବନ୍ତ ଲେଙ୍କା ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସର୍ବଦା ସାରସତ୍ୱ ସାଧକ ଉପରେ ବଞ୍ଚିବାକୁ ଚାହୁଁଥିବା ଜଣେ ଆଗଧାଡିର ନେତା ହେଉଛନ୍ତି ବିଷ୍ଣୁ ସେଠୀ । ଦୁଇ ଦୁଇଥର ବିଧାୟକ । ରାଜନୀତିକୁ ଛାଡି ଦେଲେ ଏକାଧାରରେ ସେ ଜଣେ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ସମାଲୋଚକ ଆଦି ଅନେକ ।
ବିରୋଧୀଙ୍କୁ ଟାର୍ଗେଟ କରିବା ଠାରୁ ଆରମ୍ଭ କରି ସରକାରକୁ ସବୁ ବେଳେ ପ୍ରଶ୍ନ କରିବାର ଦମ୍ଭ ରଖୁଥିଲେ ବିଷ୍ଣୁ ସେଠୀ । ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ସେ ଯୋଗଦେଇନଥିଲେ । ସରକାରୀ ଚାକିରୀକୁ ଛାଡି ରାଜନୀତିରେ ପାଦ ଦେଇଥିଲେ ବିଷ୍ଣୁ ସେଠୀ । ସାପ୍ତାହିକ ସମ୍ବାଦ ‘ବିଶେଷ ଖବର’ରେ କାର୍ଯ୍ୟକରୁଥିବା ବେଳେ ସେ ବିଜେପିରେ ମିଶିଥିଲେ । ତେବେ ଏହା ପଛରେ ସାପ୍ତାହିକ ସମ୍ବାଦ ବିଶେଷ ଖବର ମୁଖ୍ୟ ଖାରବେଳ ସ୍ୱାଇଁଙ୍କ ଭୂମିକା ଅଧିକ ରହିଛି । କାରଣ ସେ ଯେତେବେଳେ ବିଜେପିରେ ମିଶିଲେ ସେ ତାଙ୍କ ସହ ବିଷ୍ଣୁ ସେଠୀଙ୍କୁ ମଧ୍ୟ ବିଜେପିରେ ମିଶିବାକୁ ବାଧ୍ୟ କରିଥିଲେ ଏବଂ ଡିସେମ୍ବର ୨୫ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ସେ ବିଜେପିରେ ମିଶିଲେ । ବାସ ସେବେ ଠାରୁ ଆରମ୍ଭ ହେଲା ତାଙ୍କର ରାଜନୈତିକ ଯାତ୍ରା । ଏହାପରେ ଭଦକ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଦେଇ ନଥିଲା । ଏହା ଶ୍ରୀଯୁକ୍ତ ସେଠୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଉଭା ହେଲା । ଏହାପରେ ୨୦୦୦ ମସିହାରେ ଚାନ୍ଦବାଲିରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଲେ ଆଉ ଜିତିଲେ ମଧ୍ୟ । କଡା ବିରୋଧୀ ଥିଲେ ମଧ୍ୟ ସମସ୍ତଙ୍କୁ ମାତ ଦେଇ ବିଜେପିର ମୁଖିଆ ଭାବେ ଜୟଯୁକ୍ତ ହେଲେ। ଏହାପରେ ସେ ଧାମନଗର ନିର୍ବାଚନ ମଣ୍ଡଳିରୁ ବିଧାୟକ ପଦ ପାଇଁ ଛିଡା ହେଲେ ଆଉ ଜିତିଲେ । ୨୦୦୬ ରେ କାଜୁ ନିଗମର ଅଧ୍ୟକ୍ଷ ହୋଇଥିଲେ। ଆରଏସଏସର ଦକ୍ଷ ସଂଗଠକ ଥିବା ବିଷ୍ଣୁ ସେଠୀ ୨୦୧୯ରେ ଧାମନଗର ଆସନରୁ ବିରୋଧୀ ପ୍ରାର୍ଥୀଙ୍କୁ ହରାଇ ବାଜିମାତ୍ କରିଥିଲେ। ତାଙ୍କର ଦକ୍ଷତା ପାଇଁ ତାଙ୍କୁ ବିରୋଧୀ ଦଳ ଉପନେତା ଭାବେ ମଧ୍ୟ ଦାଇତ୍ୱ ଦିଆଯାଇଥିଲା ।