ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ
2026 ସୁଦ୍ଧା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ,
୨୭ଟି ସେଣ୍ଟର ଅଫ ଏକ୍ସେଲେନ୍ସ ଗଠନ କରାଯିବ
୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି ଟଙ୍କା
ଡ଼ିସେମ୍ବର ଶେଷ ସୁଦ୍ଧା ସ୍ମାର୍ଟ class ରୁମ କାମ ଶେଷ ହେବ.
ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି (VSSUT)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ ମସିହା ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ Multi-Disciplinary Engineering & Research University ଭାବରେ ବିକଶିତ କରାଯିବ । ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ IIT ଓ NIT ପରି ସଂସ୍ଥାମାନଙ୍କ ସହିତ ସମକକ୍ଷ ହେବ । ଏଥିରେ School of Engineering, Skill Development Centre, School of Medical Technology ଓ School of Basic Science ପରି ୭ଟି ସ୍କୁଲ ରହିବ ।
ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି । ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ । ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍ଧ ହେବ । ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ । ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ ।
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା କରାଯିବ । ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରଫେସରମାନଙ୍କ ସହିତ ଅଲୋଚନା କରିଥିଲେ । ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ l ଆଲୋଚନାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ।