ପୁଣି ଫୁଲିଳା ନାଗାବଳୀ ଓ ଝଞ୍ଜାବତୀ ସତର୍କ ସଂକେତ ଉପରେ ବଂଶଧାରା…….

ଅନୁସନ୍ଧାନ ଭାରତ(ବ୍ୟୁର): ଲଘୁଚାପ ଫଳରେ ଗତ କାଲି ଠାରୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି l ଲଗାଣ ବର୍ଷା ଯୋଗୁଁ ଗୁଣପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି l ଏଠାରେ ବିପଦ ସଙ୍କେତ ୮୪ ମିଟର, ସତର୍କ ସଂକେତ ୮୩ ମିଟର ରହିଛି l ସନ୍ଧ୍ୟା ୫ଟା ସୁଦ୍ଧା ବଂଶଧାରା ଜଳସ୍ତର ୮୩.୭୫ ମିଟର ରହିଛି l ଗତ କାଲିଠାରୁ ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି l ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି l ଗତ ୨୪ ଘଣ୍ଟା ମଧ୍ୟରେ ମୁନିଗୁଡା ବ୍ଲକରେ ସର୍ବାଧିକ ୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ କାଶୀପୁରରେ ବ୍ଲକରେ ୩୯ , ଗୁଣପୁରରେ ୨୦ ମିଲି ମିଟର , ରାୟଗଡା ବ୍ଲକରେ ୩୭.୮, କୋଲନରା ବ୍ଲକରେ ୨୪.୩, କଲ୍ୟାଣସିଙ୍ଗପୁର ବ୍ଲକରେ ୫୭.୨, ପଦ୍ମପୁର ବ୍ଲକରେ ୧୬, ଗୁଡାରି ବ୍ଲକରେ ୧୬.୬, ରମନାଗୁଡା ବ୍ଲକରେ ୧୦.୨ , ବିଷମକଟକ ବ୍ଲକରେ ୮୧.୬ , ଏବଂ ଚନ୍ଦ୍ରପୁର ବ୍ଲକରେ ୩୦.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ୪୨୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l