ଓକିଲଙ୍କ ବିୟୋଗରେ ଶୋକ ସଭା, ଘୁଞ୍ଚିଲା ମାଓ ନେତା ସବ୍ୟସାଚୀଙ୍କ ମାମଲାର ଶୁଣାଣି…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଓକିଲ ସଂଘର ସମ୍ମିଳନି କକ୍ଷରେ ବରିଷ୍ଠ ଓକିଲ ମୀନ କେତନ ସାହୁଙ୍କ ବିୟୋଗରେ ଏକ ଶୋକ ସଭା ହୋଇଥିଲା l ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷାତରେ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଓକିଲ ମାନେ ଯୋଗଦେଇଥିଲେ l ସ୍ବର୍ଗତ ମୀନ କେତନଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା l ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଦୁଇ ଦିନ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ମୀନକେତନଙ୍କ ସପରିବାର ଜାମ୍ମୁ କାଶ୍ମୀର ବୁଲି ଯାଇଥିଲେ l ଗୁରୁବାର କାଶ୍ମୀର ଠାର ତାଙ୍କର ପରଲୋକ ହୋଇଥିଲା ଏବଂ ସେଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା l ଓକିଲଙ୍କ କୋର୍ଟ କାର୍ଯ୍ୟ ବନ୍ଦ ଯୋଗୁଁ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ମାମଲାର ଶୁଣାଣି ହୋଇପାରିନଥିଲା l ସବଜଜଙ୍କ କୋର୍ଟରେ ୪ଟି ମାମଲା ରହିଥିଲା l ହେଲେ ଓକିଲଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ମାମଲାର ଶୁଣାଣି ଘୁଞ୍ଚିଥିଲା l ସେପଟମ୍ବ ୧୫ ଏବଂ ୧୬ ତାରିଖରେ ପୁଣି ଥରେ ସବ୍ୟସାଚୀଙ୍କୁ ହାଜର କରିବା ପାଇଁ କୋର୍ଟ ପକ୍ଷରୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି l ସେହିଭଳି ଏଡିଜେଙ୍କ କୋର୍ଟରେ ବିଜେଡି ନେତା ଯଯାତୀ କେଶରୀ ସାହୁଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇବାର ଥିଲା l ହେଲେ ଏଡିକେ ଛୁଟିରେ ଥିବାରୁ ମାମଲାର ରାୟ ପ୍ରକାଶ ପାଇପାରିନଥିଲା l ଆସନ୍ତା ୨୯ ତାରିଖରେ ଏହି ମାମଲାର ରାୟ ପ୍ରକାଶ ପାଇବା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ l