ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଏନଏସିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏବେି ପ୍ରାୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ସାରିଛି I ହେଲେ ୨୨ ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ଶ୍ରୀରାମ ପଦା ବସଷ୍ଟାଣ୍ଡ I ବସଷ୍ଟାଣ୍ଡର ଆନୁଷଙ୍ଗିକ ବଜାର ଗୃହ ,ଶୌଚାଳୟ, ବସ ରହଣି ସ୍ଥଳ, ବିଦ୍ୟୁତ ସଂଯୋଗ ଓ ପାଚେରି ନିର୍ମାଣ ହୋଇସାରିଛି I
ଏପରି କି ଦୋକାନ ଗୃହ ବଣ୍ଟନ ମଧ୍ୟ ସରିଯାଇଛି I କିନ୍ତୁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ନେଇ କୌଣସି ଆଶା ଦେଖା ଯାଉନି I ଯଦି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରୁନି, ତେବେ ଏନଏସି ପକ୍ଷରୁ ବସଷ୍ଟାଣ୍ଡର କାର୍ଯ୍ୟକ୍ଷମ ପାଇଁ ଲକ୍ଷ ଲକ୍ଷ ଟଙ୍କା କାହା ସ୍ଵାର୍ଥରେ ଖର୍ଚ୍ଚ କରାଯାଉଛି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I ସହର ବାସୀଙ୍କ ମଧ୍ୟରେ ଉଠି ଥିବା ପ୍ରଶ୍ନର ଉତ୍ତର କାହା ପାଖରୁ ମିଳୁନ ଥିବା ଦେଖା ଦେଇଛି I ନିର୍ବାଚନ ପରେ ନିର୍ବାଚନ ଯାଉଛି I ଜନସାଧାରଣଙ୍କ ଭୋଟ ହାତେଇ ନେତାମାନେ ନିର୍ବାଚିତ ହୋଇ ଏନଏସି ଦାୟିତ୍ବରେ ରହି ବିକାଶ କଥା ଚିନ୍ତା କରୁ ଥିବା ଡିଣ୍ଡିମ ପିଟୁଛନ୍ତି I ନିର୍ବାଚିତ ଜନପ୍ରତିନିଧିଙ୍କ ଆନ୍ତରିକତା ସହରରେ ୨୨ ବର୍ଷ ଧରି କାର୍ଯ୍ୟକ୍ଷମ ଅପେକ୍ଷାରେ ଥିବା ବସ ଷ୍ଟାଣ୍ଡରୁ ଜଳ ଜଳ ହୋଇ ଦେଖା ଯାଉଛି I ଘୁ.ଉଦୟଗିରି ବାସୀଙ୍କ ବହୁ ମୁଲ୍ୟ ଭୋଟ ପାଇଁ ନିର୍ବାଚିତ ହେଉ ଥିବା ଜନପ୍ରତିନିଧିଙ୍କ ବିକାଶ କରିବାର ଦକ୍ଷତା ଶ୍ରୀରାମପଦା ବସଷ୍ଟାଣ୍ଡର ଅବ୍ୟବସ୍ଥାକୁ ଦେଖିଲେ ଆପେ ଜଣାପଡ଼ିଯାଉଛି I ବର୍ତ୍ତମାନର ଏନଏସି ଅଧ୍ୟକ୍ଷା ଥିବା ଭାନୁପ୍ରଭା ମିଶ୍ର ବସଷ୍ଟାଣ୍ଡ ଥିବା ଶ୍ରୀରାମପଦା ୪ନଂ ଓ୍ବାର୍ଡରେ ପ୍ରଥମେ ସ୍ବାଧିନ ଓ୍ବାର୍ଡସଭ୍ୟା ଭାବେ ନିର୍ବାଚିତ ହୋଇ ଥିଲେ I ପରେ ୧୦ନଂ ଓ୍ବାର୍ଡସଭ୍ୟା ହୋଇ ଉପାଧ୍ୟକ୍ଷା ଦାୟିତ୍ବରେ ୫ ବର୍ଷ ରହିବା ପରେ ଏବେ ସେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି I କିନ୍ତୁ ପରିତାପର ବିଷୟ ବସ ଷ୍ଟାଣ୍ଡ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନ ଥିବା କହିଛନ୍ତି ବର୍ତ୍ତମାନର ଅଧକ୍ଷା I ପାଖାପାଖି ୧୧ ବର୍ଷ ଶାସନରେ ରହି୍ଥିଲେ ବି ଏନେଇ ସେ କେବେ ମଧ୍ୟ ଉଦ୍ୟମ କରିନ ଥିବା ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି I ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ବଦଳରେ ବିଭିନ୍ନ ସମୟରେ ବସଷ୍ଟାଣ୍ଡ ନିର୍ମାଣ ନାମରେ ଯୋଜନା ପରେ ଯୋଜନା କରାଯାଇ ସରକାରୀ ଅନୁଦାନକୁ ହରିଲୁଟ କରାଯାଇଛି I ପ୍ରଶାସନିକ ଅଧିକାରୀ ସମେତ ରାଜେନନୖତିକ ନେତା ନିଜ ପିସି ଗଣ୍ଡାକ ନେଇ ପାର ହୋଇଯାଇଥିବା ବେଳେ ସହରର ବିକାଶ କଥା କିଏ ପଚାରେ I ଅନ୍ୟପଟେ ଅଧ୍ୟକ୍ଷା ଶାସକଦଳର ସଦସ୍ୟା ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ମଧ୍ୟ ଏନେଇ ଭୟରେ ପ୍ରତିବାଦ କରୁନାହାନ୍ତି I ତୁ ଗୁହାରି କରିୁ ଯାହାକୁ ମୁଁ ପ୍ରଭୁ କରିଛି , ତାହାକୁ ନୀତିରେ ଏବେ ଶାସନ ଚାଲିଥିବା ବେଳେ ଘୁ.ଉଦୟଗିରି ଏନଏସିରେ ବହୁ ବିକାଶମୂଳକ କାର୍ଯ୍ୟ ଏଭଳି ଆଣ୍ଠେଇଛି I


ସହରର ବୃଦ୍ଧିକୁ ଆଖି ଆଗରେ ରଖି ତତ୍କାଳୀନ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ଭୋଇ ଶ୍ରୀରାମପଦା ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବସଷ୍ଟାଣ୍ଡ ନିର୍ମାଣ କରିଥିଲେ I ବସ ଷ୍ଟାଣ୍ଡ ହେବା ପରେ ପ୍ରାୟ ୫/୬ ମାସ ସେଠାକୁ ବସ ଯାଇଥିଲା I ରାସ୍ତା ସଂକୀର୍ଣ୍ଣ ଓ ଭାରିଯାନ ଯାତାୟାତରେ କଲେ ପୁରୁଣା ପୋଲ ଭାଙ୍ଗିଯିବା ଆଶଙ୍କାରେ ବସଷ୍ଟାଣ୍ଡକୁ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ଠପ୍ ହୋଇଗଲା I ବର୍ତ୍ତମାନ ଘୁ.ଉଦୟଗିରି-ସରଙ୍ଗଡ଼ ଚଉଡ଼ା ମୁଖ୍ୟ ରାସ୍ତା ତିଆରି ସହ ଶ୍ରୀରାମ ପଦା ସ୍ଥିତ ପୋଲ ନିର୍ମାଣ ହେଲା I ହେଲେ ମଧ୍ୟ ଏନଏସି ପକ୍ଷରୁ ବସ ଷ୍ଟାଣ୍ଡର କାର୍ଯ୍ୟକ୍ଷମ ପାଇଁ ତତ୍ପରତା ଦେଖା ଦେଇ ନାହିଁ I ପରିତାପର ବିଷୟ ଯେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ଖତ ଖାଉଥିବା ବେଳେ ସେଠାରେ ପୁଣି ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯିବା ପାଇଁ ପରିଷଦରେ କିପରି ପାରିତ ହେଉଛି ଏବଂ ଏଥିପାଇଁ କୌଣସି ସଭ୍ୟ/ସଭ୍ୟା ଖତ ଖାଉଥିବା ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ ନ କରାଯାଇ କାହିଁକି ସେଠି ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଉଛି ବୋଲି ପ୍ରତିବାଦ କରୁନାହାନ୍ତି I ଯାହା କି ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି I
ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ଗ୍ରହଣ କରାଯାଇ ଥିଲା I ଯଥା ଶିଘ୍ର ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରି ଯାନବାହାନ ଚଳାଚଳ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି I ହେଲେ ନବ ନିର୍ବାଚିତ ଅଧ୍ୟକ୍ଷା କେତେ ଶୀଘ୍ର ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିପାରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା I