ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଏହି ପରିଷଦ ୧୭/୧୨/୧୯୭୯ ମସିହାରେ ଗଠିତ ହୋଇ ଥିଲା I ଵିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହେବାର ୪୧ ବର୍ଷରୁ ଉର୍ଦ୍ଧ୍ବ ବିତି ଯାଇ ଥିଲେ ସୁଦ୍ଧା ଅଞ୍ଚଳରେ ଆଖି ଦୃଶିଆ ଭାବରେ ବିକାଶ ହୋଇ ନ ଥିବା ଅଂଚଳରେ ମତ ପ୍ରକାଶ ପାଇଛି I 
ବିଗତ ୨୦-୨୫ ବର୍ଷ ପୂର୍ବେ ଯାହା ବିକାଶ ହୋଇ ଥିଲା ସେତିକିରେ ଅଟକି ଯାଇଛି ବୋଲି ଵିଜ୍ଞାପିତ ଅଞ୍ଚଳ ବାସୀନ୍ଧା କହିଛନ୍ତି I ନିର୍ବାଚିତ ଜନପ୍ରତିନିଧି, କାର୍ଯ୍ୟରତ କର୍ମଚାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ସରକାରୀ ଅନୁଦାନ ଜନକଲ୍ୟାଣରେ ବ୍ୟବହୃତ ହେବା ପରିବର୍ତ୍ତେ ବାଟମାରଣା ହେଉ ଥିବା ସହର ବାସୀ ମତପ୍ରକାଶ କରିଛନ୍ତି I ସହରର ବିକାଶ କରିବା ଆଳରେ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଆସୁଥିବା ଅନୁଦାନକୁ ହରିଲୁଟ କରାଯାଉଛି ବୋଲି ସହରର ଜଣେ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି I
ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ତ୍ତମାନ ଡ୍ରେନେଜ ବ୍ୟବସ୍ଥା ବଡ଼ ସମସ୍ୟା ହୋଇ ଉଭା ହୋଇଛି I ସହର ମଧ୍ୟରେ ଯୋଜନା ମୁତାବକ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସହରର ମଇଳା ଆବର୍ଜନା ପାଣି ସାଲୁଙ୍କି ନଦୀକୁ ନିଷ୍କାସନ କରାଯାଉଛି I କେବଳ ଏତିକି ନୁହେଁ ବନ୍ଧ ଛକରେ ପରିଶ୍ରାଗାର ନ ଥିବାରୁ ଯାତ୍ରୀମାନେ ବନ୍ଧରେ ପରିସ୍ରା କରିବା ଯୋଗୁ ପାଣି ବର୍ତ୍ତମାନ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି I ତେଣୁ ଘୁ.ଉଦୟଗିରି ଜନସାଧାରଣ ଏବେ ବିଷ ବଳୟରେ ରହିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ I ପରିଷଦରେ ଥିବା ନାଳ ନର୍ଦ୍ଧମା ନିୟମିତ ସଫେଇ ହେଉନଥିବା ଯୋଗୁଁ ଡ୍ରେନ ଆବର୍ଜନରେ ପୋତି ହୋଇ ଯାଉଛି I ଯାହା ଦ୍ୱାରା ସହରରେ ମଶା ବଂଶ ବୃଦ୍ଧି ପାଉ ଥିବାର ଦେଖା ଦେଇଛି I ଠିକ ସେହିପରି ବଜାର ବନ୍ଧ ଉପରେ ଅଞ୍ଚଳ ବାସୀ ନିର୍ଭର ଶିଳ ଥିବାବେଳେ ବର୍ତ୍ତମାନ ପୋଖରୀ ଜଳ ଦୂଷିତ ହୋଇଛି I
ପୋଖରୀରେ ମାଛ ଚାଷ ନାମରେ ଗୋବର ଆଦି ପକାଇବା, ପୋଖରୀ ଅସ୍ଥାୟୀ ଶୌଚାଳୟ ପାଲଟିବା ଯୋଗୁଁ ପୋଖରୀ ପାଣି ବ୍ୟବହାର କଲେ ବିଭିନ୍ନପ୍ରକାର ଚର୍ମ ରୋଗ ଆଦି ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି I ପୋଖରୀ ମରାମତି ଓ ଚାରିପାର୍ଶ୍ୱ ପଥର ବନ୍ଧେଇବା, ବନ୍ଧ ସୁରକ୍ଷା କରିବା ପାଇଁ ଷ୍ଟିଲ ରେଲିଂ, ପ୍ଲେଟ ପକାଇବା ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି I ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବନ୍ଧର ପୁନଃରୁଦ୍ଧାର କରାଯାଉ ଥିଲେ ସୁଦ୍ଧା ବନ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇ ନ ଥିବା ସହର ବାସୀ କହିଛନ୍ତି I କେବଳ ସେତିକି ନୁହେଁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବନ୍ଧ ହୁଡ଼ାରେ ବ୍ୟବହୃତ ପଥର ସବୁ ଖସି ଗଲାଣି I ଯାହା ପାଇଁ ଦିନକୁ ଦିନ ବନ୍ଧ ସୌନ୍ଦର୍ଯ୍ୟ ହରାଇ ବାକୁ ବସିଛି I ଏହି ପୋଖରୀ ସହର ବାସୀଙ୍କ ମୁଖ୍ୟ ଜୀବନ ରେଖା ହୋଇଥିବା ବେଳେ ତାହା ଏବେ ଅସ୍ଥାୟୀ ଶୌଚାଳୟ ପାଲଟିଛି I
ସେହି ପରି ସହର ମଧ୍ୟ ଭାଗରେ ବୋହି ଯାଇଥିବା ସାଲୁଙ୍କି ନଦୀ ମଧ୍ୟକୁ ପରିଷଦ ପକ୍ଷରୁ ନିର୍ମିତ ଡ୍ରେନ ମାଧ୍ୟମରେ ସମସ୍ତ ଆବର୍ଜନା ପାଣି ନିଷ୍କାସନ କରାଯାଉଛି I ଯାହା ପାଇଁ ସାଲୁଙ୍କି ନଦୀର ପାଣି ସମ୍ପୂର୍ଣ୍ଣ ଅନୁପଯୁକ୍ତ ଓ ବ୍ୟବହାର ଯୋଗ୍ୟ ହେଉନଥିବା ଯୋଗୁଁ ନଦୀ ପାର୍ଶ୍ୱରେ ଥିବା ଜନସାଧାରଣ ବହୁ ଅସୁବିଧାର ସମୁଖୀନ ହେଉ ଥିବା କହିଛନ୍ତି I ଏଥିପ୍ରତି ନବନିର୍ବାଚିତ ପରିଷଦ ପ୍ରତିନିଧି ଓ କାର୍ଯ୍ୟରତ ଵିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ଦୃଷ୍ଟିଦେଇ ନଦୀ ମଧ୍ୟକୁ ଛଡ଼ା ଯାଇଥିବା ଡ୍ରେନ ପାଣି ବନ୍ଦ କରି ମୁଖ୍ୟ ସଡ଼କ ପାର୍ଶ୍ୱ ଦେଇ ମୁଖ୍ୟ ସାଲୁଙ୍କି ଶଙ୍ଖ ଠାରୁ ଶଙ୍ଖ ସାହି ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରି ଆବର୍ଜନା ପାଣି ଛଡାଗଲେ ୱାର୍ଡ଼ ନମ୍ବର ୨,୩,୪ ଏବଂ ୫ର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବୀ ହେଉଛି I ଏନେଇ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ ଯଥା ଶୀଘ୍ର ଏହାର ବିକଳ୍ପ ପନ୍ଥା କରାଯିବ ବୋଲି ମତ ରଖିଥିଲେ I
ସହରବାସୀଙ୍କ ମତାମତ-

ଘୁ.ଉଦୟଗିରି ସହରର ଡ୍ରେନେଜ ବ୍ୟବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି I ପୌରପରିଷଦ ଗଠିତ ହେବା ପରେ ୱାର୍ଡ ନଂ ୭ର ଡ୍ରେନ ୧୯୮୫ ମସିହାରେ ତିଆରି ହୋଇ ଥିଲା I କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ରେନ ପୁନରୁଦ୍ଧାର ହୋଇ ପାରୁନାହିଁ I କିନ୍ତୁ ପୁନଃରୁଦ୍ଧାର ନାମରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି I ସହରରେ ଅଧିକାଂଶ ଡ୍ରେନ ୨୦ ବର୍ଷ ପୂର୍ବେ ତିଆରି ହୋଇଥିଲା I ସହରର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I ସେହି ଅନୁପାତରେ ମଇଳା ଜଳ ନିଷ୍କାସିତ କରିବା ପାଇଁ ଏନଏସି ପକ୍ଷରୁ ଡ୍ରେନେଜ ବ୍ୟବସ୍ଥା କରାଯାଇ ନାହିଁ I ସେଥି ପାଇଁ ଆଜି ମଇଳା ପାଣି ସାଲୁଙ୍କି ନଦୀକୁ ନିଷ୍କାସନ କରା ଯାଉଛି I ଯାହାକି ଜଳ ପ୍ରଦୂଷଣ ହେବାର ମୁଖ୍ୟ କାରଣ I ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଆସୁ ଥିଲେ ସୁଦ୍ଧା କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ବୋଲି ବରିଷ୍ଠ ନାଗରିକ ପ୍ରମୋଦ କୁମାର ପାତ୍ର ମତପ୍ରକାଶ କରିବା ସହ ଯଥାଶୀଘ୍ର ଡ୍ରେନେଜ ବ୍ୟବସ୍ଥାରେ ସୁଦ୍ଧାର ଆଣିବା ପାଇଁ ଦାବୀ କରିଛନ୍ତି I
ଘୁ.ଉଦୟଗିରି ସହରରେ ବର୍ତ୍ତମାନ ଡ୍ରେନ ସମସ୍ୟା ବଡ଼ ସମସ୍ୟା ଭାବରେ ଦେଖା ଦେଇଛି I ଵିଜ୍ଞାପିତ ଅଞ୍ଚଳ ପାରିଷଦ ପକ୍ଷରୁ ସହରର ମଇଳା ନିଷ୍କାସନ କରିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରେନ ନିର୍ମାଣ ସକାଶେ ଦାବୀ ହୋଇ ଆସୁଛି I କିନ୍ତୁ ସ୍ଥାନୀୟ ଏନଏସି ପ୍ରଶାସନ ଏଥି ପ୍ରତି ଦୃଷ୍ଠି ନ ଦେବା ଯୋଗୁଁ ଆଜି ଏହି ସମସ୍ୟା ଦେଖା ଦେଇଛି I ତେଣୁ ଯଥାସମ୍ଭବ ଏହି ସମସ୍ୟାକୁ ଦୂର କରିବା ପାଇଁ ବରିଷ୍ଠ ନାଗରିକ ଅବଦୁଲ ବାରି ଦାବୀ କରିଛନ୍ତି I