ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହତିମୁଣ୍ଡା ପଞ୍ଚାୟତ ର ବୁଜୁଲି ଗ୍ରାମରେ କାଳବୈଶାଖୀର ତାଣ୍ଡବ ରୂପ ଦେଖିବାକୁ ମିଳିଛି I ବୁଧବାର ଦିନ ଅପରାହ୍ନ ରେ ବିଜୁଳି ଘଡଘଡି ସହ ଝଡ଼ବର୍ଷା ହେବା ଫଳରେ ବୁଜୁଲି ପ୍ରାଥମିକ ବିଦ୍ୟାଳୟର ଛାତ ଉପରେ ଏକ ଶୁଖିଲା ଆମ୍ବଗଛ ପଡିଯାଇ ଶ୍ରେଣୀଗୃହ ଛାତରେ ବ୍ୟବହୃତ ଆଜବେଷ୍ଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି I ସକାଳେ ସ୍କୁଲ ଚାଲୁ ହେଉଥିବାରୁ ଛାତ୍ର ଛାତ୍ରୀମାନେ ଦୁର୍ଘଟଣାରୁ ବର୍ତିଯାଇଥିବା ବେଳେ ଦୁଇଟି ଶ୍ରେଣୀଗୃହ ଛାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ଉପୁଜିଥିବା ଦେଖାଦେଇଛି I ଖବର ପାଇ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦୂର ଭାଷା ମାଧ୍ୟମରେ ଜଣାଇଥିବା କହିଛନ୍ତି I ଏହି ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନବେ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବର୍ତ୍ତମାନ ଶ୍ରେଣୀଗୃହର ଅଭାବ ଦେଖାଦେଇଛି I କୋଭିଡ ଯୋଗୁଁ ଦୁଇ ବର୍ଷ କାଳ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ଥିବା ବେଳେ ପିଲାଙ୍କ ପାଠପଢ଼ା ଯେପରି ବାଧା ପ୍ରାପ୍ତ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବିଭଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସ୍କୁଲ କମିଟି ସଭାପତି ବିଶ୍ୱ ବଳିଆର ସିଂ ଓ କୀର୍ତ୍ତି ସୁଆଲ ସିଂଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ଅଭିଭାବକମାନେ ଦାବୀ କରିଛନ୍ତି I