ଆଉ ନାହାଁନ୍ତି ଭାରତରତ୍ନ କୋକିଳକଣ୍ଠି ଲତା ମଙ୍ଗେସକର….

ଅନୁସନ୍ଧାନ ଭାରତ(ବ୍ୟୁର): ଆଉ ନାହାଁନ୍ତି ଭାରତରତ୍ନ କୋକିଳକଣ୍ଠି ଲତା ମଙ୍ଗେସକର I ଆଜି ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଲତା ମଙ୍ଗେସକର I ସୂଚନାଯୋଗ୍ୟ, ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍‌ରେ ରଖାଯାଇଥିଲା I ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା I ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ।
ଭାରତୀୟ ସଂଗୀତର କିମ୍ବଦନ୍ତୀ ଲତା ମଙ୍ଗେସକର କୌଣସି ପରିଚୟର ଆବଶ୍ୟକତା ରଖନ୍ତି ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ I ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ I ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସ୍ୱର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା’ ସରସ୍ୱତୀ I ସତରେ ତାଙ୍କ ସ୍ୱରରେ ଏମିତି ଯାଦୁ ରହିଛି, ଯେଉଁଥିପାଇଁ ପିଢ଼ି ପରେ ପିଢ଼ି ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଆବେଗ ଦେଖିବାକୁ ମିଳେ I ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତରତ୍ନ ଲତା ମଙ୍ଗେସକର I
ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ I ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ଥିଏଟର କଳାକାର ଥିଲେ I ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା I ଘରେ ଥିଲା ସଂଗୀତର ମାହୋଲ୍ I ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ I ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା I ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର I
୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ସିନେମା ଗୀତରେ କଣ୍ଠଦାନ କରିଥିଲେ I ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ I ଏହାପରେ ‘ମଜବୁର’, ‘ବେଦର୍ଦ’ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର I
୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା I ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ I ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା I ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିକୱା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ I

csp

ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର I କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି I ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି I
ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ I ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି, ଯାହା ଆମ ସମସ୍ତଙ୍କୁ ଜଣା I
ସ୍ବକୀୟ ପ୍ରତିଭା ଲାଗି ଲତା ମଙ୍ଗେସକର ବହୁଭାବେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି I ସେ ୩ ଥର ଜାତୀୟ ଫିଲ୍ମ ପୁରସ୍କାର, ୧୫ ଥର ବିଏଫଜେଏ (ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନ୍) ପୁରସ୍କାର, ୪ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଫିଲ୍ମ ଫେୟାର ପୁରସ୍କାର ଓ ଫିଲ୍ମ ଫେୟାର ଜୀବନବ୍ୟାପୀ ସାଧନା ପୁରସ୍କାର(୧୯୯୩) ଲାଭ କରିଛନ୍ତି I ଏହା ସହିତ ସେ ପଦ୍ମ ଭୂଷଣ(୧୯୬୯), ଦାଦା ସାହେବ ଫାଲକେ ପୁରସ୍କାର(୧୯୮୯), ମହାରାଷ୍ଟ୍ର ଭୁଷଣ(୧୯୯୭), ପଦ୍ମ ବିଭୂଷଣ(୧୯୯୯), ଭାରତ ରତ୍ନ (୨୦୦୧), ଫ୍ରାନ୍ସ ସରକାରଙ୍କ ତରଫରୁ ‘ଲିଜିୟନ୍ ଅଫ୍ ଅନର୍’ ସମ୍ମାନ ଲାଭ କରିଛନ୍ତି I
ଲତା ମଙ୍ଗେସକର ଗାଇଥିବା ଶ୍ରେଷ୍ଠ ୨୦ ଗୀତ :
୧. ଲାରୁ ଲାପ୍ପା ଲାରା ଲାପ୍ପା…(ଏକ୍ ଥି ଲଡକି, ୧୯୪୯)
୨. ନା ବୋଲେ ନା ବୋଲେ ରେ…(ଆଜାଦ୍,୧୯୫୫)
୩. ମନ୍ ମହନା ବଡେ ଝୁଟା…(ସୀମା, ୧୯୫୫)
୪. ନୈନ୍ ସେ ନୈନ୍ ନ ମିଲାଓ…(ଝନକ୍ ଝନକ୍ ପାୟଲ୍ ବାଜେ, ୧୯୫୫)
୫. ରଶିକା ବାଲ୍ମା…..(ଚୋରି ଚୋରି.୧୯୫୫)
୬. ଆଜା ରେ ପରଦେଶୀ….(ମଧୁମତି ୧୯୫୮)
୭. ଓ ସଜନା…..(ପରଖ୍, ୧୯୬୦)
୮. ଅଜିବ୍ ଦସ୍ତାନ୍ ୟେ….(ଦିଲ୍ ଅପନା ପ୍ରୀତ୍ ପରାଇ, ୧୯୬୦)
୯. ଆଲ୍ଲା ତେରୋ ନାମ୍…..( ହମ୍ ଦୋନୋ, ୧୯୬୧)
୧୦. ନୈନା ବରଷେ ରିମ୍ ଝିମ୍….(ଓ୍ଵ କୌନ୍ ଥି, ୧୯୬୪)
୧୧. ତୁ ଜାହାଁ ଜାହାଁ ଚଲେଗା….. (ମେରା ଶାୟା,୧୯୬୬)
୧୨. ଇନ୍ହି ଲୋଗୋଁ ନେ… ଇନ୍ହି ଲୋଗୋଁ ନେ…(ପାରେଖ୍, ୧୯୭୨)
୧୩. ଏକ୍ ପ୍ୟାର୍ କା ନଗମା ହୈ…..(ଫିଲ୍ମ: ସୋର୍, ୧୯୭୨)
୧୪. ରୈନା ବିତ୍ ଯାଏ…..( ଫିଲ୍ମ: ଅମର୍ ପ୍ରେମ୍,୧୯୭୨)
୧୫. ବାହୋ ମେଁ ଚଲେ ଆଓ…(ଅନାମିକା, ୧୯୭୩)
୧୬. ତେରେ ବିନା ଜିନ୍ଦେଗି ମେଁ କୋଇ….(ଆନ୍ଧି,୧୯୭୫)
୧୭. ଏ ଦିଲ୍-ଏ-ନାଦାନ୍…(ରେଜିଆ ସୁଲତାନ, ୧୯୮୩)
୧୮. ଜିୟା ଜଲେ…(ଦିଲ୍ ସେ, ୧୯୯୮)
୧୯. ଏକ୍ ତୁ ହି ଭରସା… ( ପୁକାର୍ ୨୦୦୦)
୨୦. ମେରେ ଖ୍ଵାବୋଁ ମେଁ ଜୋ ଆଏ….(ଦିଲ୍ ଓ୍ଵାଲେ ଦୁଲହନିଆଁ ଲେ ଜାଏଙ୍ଗେ (୧୯୯୪)