ଜୋନ-୫ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ଘୋଷଣା କରିଲା କଂଗ୍ରେସ, ହୀରାବତୀ ପ୍ରଧାନ ହେଲେ କଂଗ୍ରେସ ଜୋନ-୫ ଜିଲ୍ଲା ପରିଷଦ ପ୍ରାର୍ଥୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜୋନ ୫ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଗ୍ରେସିଙ୍ଗିଆ ପଂଚାୟତ ଅଧିନସ୍ଥ ଇନ୍ଦିରା ପଡ଼ିଆ ଗ୍ରାମର ବାସୀନ୍ଧା ହୀରାବତୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ପ୍ରଦାନ କରି ନିର୍ବାଚନ ମଇଦାନକୁ ଓଲ୍ହାଇଛି ଭାରତୀୟ ଜାତୀୟ କଂଗ୍ରେସ I ଆଜି ବ୍ଲକ ସଭାପତି ସଦାନନ୍ଦ ନାୟକ, କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଏନ.ରାଜା ରାଓ ଓ ଜିଲ୍ଲା ସାଧାରଣ ସମ୍ପାଦକ ଜାକେଶ ପ୍ରଧାନଙ୍କ ଉପସ୍ଥିତିରେ ହୀରାବତୀ ପ୍ରଧାନକୁ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ I କନ୍ଧମାଳ ଜିଲ୍ଲାର କଂଗ୍ରେସ ଗଡ଼ ଭାବରେ ପରିଚିତ ଘୁ.ଉଦୟଗିରିକୁ ନିଜ କବଜାକୁ ଆଣିବା ପାଇଁ ଜୋରସର ଉଦ୍ୟମ ଚଳାଇଛି କଂଗ୍ରେସ I ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସଂଖ୍ୟା ଲଘୁଙ୍କ ଦବଦବା ରହିଥିବା ଯୋଗୁଁ କଂଗ୍ରେସ ଜୋନ-୫କୁ ହାତେଇବା ପାଇଁ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାଙ୍କୁ ଟିକେଟ ପ୍ରଦାନ କରିଛି I ସଂଖ୍ୟା ଲଘୁ ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ସଂଖ୍ୟା ଲଘୁ କାର୍ଡ ଖେଳି ବିଜେଡି ଓ ବିଜେପିକୁ ମାଷ୍ଟରଷ୍ଟ୍ରୋକ ଦେଇଛି କଂଗ୍ରେସ ଦଳ I ଜୋନ-୫ ଜିଲ୍ଲା କଂଗ୍ରେସ ପ୍ରାର୍ଥୀ ହୀରାବତୀ ପ୍ରଧାନ ଉଚ୍ଚ ଶିକ୍ଷିତା, ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟଭାର ତୁଲାଇବା ପରେ ଅବସର ଗ୍ରହଣ କରି ସମାଜ ସେବାରେ ନିଜକୁ ନିୟୋଜିତ କରି ଅଞ୍ଚଳରେ ବେଶ ଘରେ ଘରେ ପରିଚିତ I ଶ୍ରୀମତୀ ପ୍ରଧାନଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ କରାଯିବା ପରେ କଂଗ୍ରେସ କର୍ମୀ ଓ ଘୁ. ଉଦୟଗିରି ଅଞ୍ଚଳରେ ଖୁସିର ଲହରୀ ଖେଳି ଯିବା ସହ ସ୍ୱାଗତ ମଧ୍ୟ କରାଯାଇଛି I ଅନ୍ୟ ପକ୍ଷରେ ଜୋନ-୫ ପ୍ରାର୍ଥୀ ଭାବରେ ଲିଲିମା ପ୍ରଧାନଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଛି ବିଜୁ ଜନତା ଦଳ I ଆଜି ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଅନ୍ୟ ଜିଲ୍ଲା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଲିଲିମା ପ୍ରଧାନଙ୍କୁ ଟିକେଟ ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି I ବିଜେପି ନିଜର ଦଳିୟ ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡ଼ିଥିବା ଦେଖା ଦେଇଛି I ବିଜେପି ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ସ୍ପଷ୍ଟ କରାଯାଇ ନାହିଁ I