ଘୁ.ଉଦୟଗିରି ଏନଏସି, ଘୁ. ଉଦୟଗିରି ବ୍ଲକ ଏବଂ ଦାରିଙ୍ଗବାଡ଼ି ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ…..
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଏବଂ ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧୀନରେ ଥିବା ପଞ୍ଚାୟତ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ଅନୁଭବ ପଟ୍ଟନାୟକ ଯୋଗ ଦେଇ ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବିଜୁ କଲ୍ୟାଣ ମଣ୍ଡପରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ପ୍ରଦାନ କରିଥିଲେ I ସେହିଭଳି ପଞ୍ଚାୟତ ସମିତି ଅଞ୍ଚଳରେ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ରାଜ୍ୟ ଜଳ ସମ୍ପଦ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ବ୍ଲକର ତଲାରୀମାହା,କଳିଙ୍ଗା, ମାଲିକାପୋଡି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମରେ ସ୍ମାର୍ଟ ହେଲଥ କାର୍ଡ଼ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭୧୩ଟି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇ ଥିବା ବେଳେ ବ୍ଲକ ଅଞ୍ଚଳରେ ବଣ୍ଟା ଯାଇ ଥିବା ସ୍ମାର୍ଟ କାର୍ଡର ତଥ୍ୟ ମିଳି ପାରିନାହିଁ I

ଦାରିଙ୍ଗବାଡ଼ି: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କନ୍ଧମାଳ ଷ୍ଟାଡିୟମ୍ ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରମଧ୍ୟରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ବ୍ଲକ ସ୍ତରରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ । ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର,ତହସିଲଦାର ଚାର୍ଲସ ନାୟକ, ସାଂସଦ ପ୍ରତିନିଧି କ୍ଷେତ୍ରିବଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ମନ୍ତ୍ରୀ ପ୍ରଥମେ ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିବା ବେଳେ ପରେ ଗ୍ରୀନବାଡ଼ି, ଶ୍ରାନିକେତା, ସିମନବାଡ଼ି ଓ କିରୀକୁଟିରେ କାର୍ଡ ବଣ୍ଟନ ହୋଇଥିଲା I
ଉକ୍ତ ସ୍ମାର୍ଟ କାର୍ଡ ବଣ୍ଟନ ହେବା ପରେ ଅଂଚଳର ରହିଥିବା ଗରିବ ରାସନ କାର୍ଡ ଧାରୀମାନେ ସ୍ୱାସ୍ଥ୍ୟ ସୁବିଧା ବିନାମୂଲ୍ୟରେ ପାଇପାରିବେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ I ଏଥି ସହିତ ମହିଳାଙ୍କ କ୍ଷେତ୍ରରେ ଅତିତିକ୍ତ ୫ ଲକ୍ଷ ଟଙ୍କାର ସୁବିଧା ମିଳିବ ବୋଲି ମନ୍ତ୍ରୀ କହିଥିଲେ I ବାକି ରହିଥିବା ସ୍ମାର୍ଟ କାର୍ଡ ପର୍ଯ୍ୟାୟ କ୍ରମେ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ବ୍ଲକ ପକ୍ଷରୁ ଜଣାପଡ଼ିଛି I