ଅନୁସନ୍ଧାନ ଭାରତ(ବ୍ୟୁର): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାର ଅନେକ ଅଞ୍ଚଳକୁ ଏଵେବି ପକ୍କା ରାସ୍ତାଟିଏ ନାହିଁ I ଏହା ସହ ଅନେକ ଗାଁରେ ନେଟୱାର୍କ ମଧ୍ୟ ନାହିଁ I ଫଳରେ ଅନେକ ସମୟରେ ରୋଗୀ ଓ ପ୍ରସୂତି ମହିଳା ଦୁର୍ଦଶା ଭୋଗୁ ଥିବାର ଘଟଣା ଦେଖିବାକୁ ମିଳିଛି I ଗମନାଗମନ ଅସୁବିଧା ଯୋଗୁଁ ବିପଦ ସଂକୁଳ ଅବସ୍ଥାରେ ରାସ୍ତା କଡ଼ରେ ଗଛ ତଳେ ପ୍ରସୂତି ମହିଳା ସନ୍ତାନ ପ୍ରସବ କରୁଥିବା ନଜିର ରହିଛି I କିଛି ଦିନତଳେ କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସିଯିବା କାରଣରୁ ଜଣେ ରୋଗୀଙ୍କ ଜୀବନ ଯାଇଛି I
ଏହି ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି I ରାସ୍ତା ନଥିବାରୁ ପାଞ୍ଚ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି ଆମ୍ବୁଲାନ୍ସ କର୍ମଚାରୀ ଷ୍ଟେଚର ରେ ବୋହି ଦୁର୍ଗମ ରାସ୍ତା ଅତିକ୍ରମ କରି ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାରେ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି I ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ଅନ୍ତର୍ଗତ ମିଡ଼ିଆତୁଆ ଗାଁ ରେ ଏପରି ଏକ ଘଟଣା ଘଟି ଥିବାର ଅଭିଯୋଗ ହୋଇଛି I ଘଟଣା ଅନୁସାରେ ମିଡ଼ିଆତୁଆ ଗ୍ରାମର ଲକ୍ଷ୍ମଣ କହଁର ନାମକ ଜଣେ ପକ୍ଷାଘାତ ରୋଗୀ ଗୁରୁତର ହୋଇଥିଲେ I ସେହି ଅଞ୍ଚଳରେ ନେଟୱାର୍କ ନ ଥିବାରୁ ଗ୍ରାମର ଜଣେ ବ୍ୟକ୍ତି ଦଶ କିଲୋମିଟର ଯାଇ ଆମ୍ବୁଲାନ୍ସକୁ ଫୋନ ଯୋଗେ ଖବର ଦେଇଥିଲେ I ଆମ୍ବୁଲାନ୍ସ ଖବର ପାଇ ଆସିଲା ହେଲେ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଆଉ ଗଡି ନଥିଲା I ଜୀବନ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ଅନିଲ କୁମାର ନାୟକ ଫାର୍ମାସିଷ୍ଟ ବିନାୟକ ପଣ୍ଡା ଏବଂ ସହାୟକ ପପୁନି ନାୟକ ଗାଡିରେ ଥିବା ଷ୍ଟେଚର ଧରି ପାଞ୍ଚ କିଲୋମିଟର ରାସ୍ତା ଚାଲି ଚାଲି ଯାଇ ରୋଗୀ ଲକ୍ଷ୍ମଣ କହଁରଙ୍କୁ ବୋହି ଆଣି ମେଡିକାଲରେ ଭର୍ତ୍ତି କରିଥିଲେ I ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ସେବା ମନୋଭାବ ଓ କର୍ତ୍ତବ୍ୟପରାୟଣ ସମଗ୍ର ଜ଼ିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ କନ୍ଧମାଳ ଜ଼ିଲ୍ଲା କେତେ ବିକାଶ ଏହା ସ୍ପଷ୍ଟ ବାରିହୋଇ ପଡୁଛି I ସରକାର ବିକାଶର ଡିଣ୍ଡିମ ପିଟୁ ଥିବା ବେଳେ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ମୋବାଇଲ ଏବଂ ଗମନାଗମନ ସେବା ପାଇବାରୁ ବଞ୍ଚିତ I ତେଣୁ ଏଥି ପ୍ରତି ସରକାର ଯତ୍ନବାନ ହେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I