ଘୁ.ଉଦୟଗିରି ବ୍ଲକରେ ୧୭ତମ ସମିତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୭ତମ ସମିତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସ୍ୱାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ୍‌ ଓ ଚାଷୀଙ୍କ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମିଶ୍ର, ଜିପିଡିଓ ଅନିଲ କୁମାର ପଟ୍ଟନାୟକ, ଉପାଧ୍ୟକ୍ଷ ଏନ୍‌.ଲୁକ, ଏଇଇ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ବିଭିନ୍ନ ଲାଇନ୍‌ ବିଭାଗର କର୍ମଚାରୀ ଓ ସରକାରୀ ବିଭାଗର ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ପ୍ରଥମେ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ବିଭାଗର ଯୋଜନା, କାର୍ଯ୍ୟକ୍ରମ ଓ ଲୋକଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଜନପ୍ରତିନିଧିମାନେ ନିଜ ଅଞ୍ଚଳର ସମସ୍ୟାଗୁଡ଼ିକ ଉଠାଇ ଏହାର ସମାଧାନ ପାଇଁ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ବେଡ୍‌ସିଟ୍‌ ମିଳୁନଥିବା ପ୍ରସଙ୍ଗ ଉଠିଥିଲା । ଗ୍ରେଶିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ଏନେଇ ପ୍ରଶ୍ନ ଉଠାଇ ରୋଗୀମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ଗୁରୁତ୍ୱ ଦେଇଥିଲେ । ସେହିପରି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଓ ଆଗାମୀ ଦିନରେ ହେବାକୁ ଥିବା କାମ ନେଇ ଆଲୋଚନା ହୋଇଥିଲା । ସରପଞ୍ଚମାନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅନୁମୋଦିତ କାମଗୁଡ଼ିକୁ ଶୀଘ୍ର ଶେଷ କରିବା ଉପରେ ଜୋର ଦିଆଯାଇଥିଲା । ଜିପିଡିପି (GPDP) ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅର୍ଥ ଆସିନଥିବାରୁ ଅନୁମୋଦିତ କାମ କିପରି ହେବ, ସେନେଇ ଜନପ୍ରତିନିଧିମାନେ ପ୍ରଶ୍ନ ଉଠାଇଥିଲେ । ପୂର୍ବରୁ କାମ ଶେଷ ହୋଇଥିଲେ ମଧ୍ୟ ପ୍ରାୟ ୫ ମାସ ଧରି ବିଲ୍‌ ହୋଇନଥିବା ଓ ଟଙ୍କା ଅଟକି ରହିଥିବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା । ଏହାର ଶୀଘ୍ର ସମାଧାନ ପାଇଁ ଦାବି ହୋଇଥିଲା । ସୂଗାମାହା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଗ୍ରାଣ୍ଟ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନଥିବା ନେଇ ପ୍ରଶ୍ନ ଉଠିଥିଲା । ଏହାସହ ଶ୍ରୀରାମପଦାଠାରୁ ଗ୍ରେଶିଙ୍ଗିଆ ଯାଇଥିବା ରାସ୍ତାର କାମ ବିଳମ୍ବ ହେବାର କାରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବିଭିନ୍ନ ପଞ୍ଚାୟତର କିଛି ପରିବାର ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚିତ ଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ଯୋଗାଇଦେବା ନେଇ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ଚାଷୀମାନଙ୍କୁ ତାରବାଡ଼ ଯୋଗାଇବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା । ଉଦ୍ୟାନ ବିଭାଗର ଅଧିକାରୀ କହିଥିଲେ ଯେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ତାରବାଡ଼ ଯୋଗାଣ ଯୋଜନା ଦିଆଯାଉନାହିଁ । ତେଣୁ ଏନେଇ ଚାଷୀମାନଙ୍କୁ ସଠିକ୍‌ ସୂଚନା ଦେବାକୁ କୁହାଯାଇଥିଲା । ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ସହ ଲୋକଙ୍କ ମୌଳିକ ସୁବିଧାକୁ ପ୍ରାଥମିକତା ଦେଇ ଉନ୍ନୟନ କାର୍ଯ୍ୟଗୁଡ଼ିକ ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା ।