ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ବୁଲି ଦେଖିବା ସହ ପିଲାଙ୍କୁ ପାଠ ପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ବେଦ ଭୁଷଣ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ସେ ନବମ ଓ ଦଶମ ଶ୍ରେଣୀ କକ୍ଷକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ସମ୍ପର୍କରେ ପଚାରି ବୁଝିବା ସହ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ପ୍ରସ୍ତୁତି ଓ ପରୀକ୍ଷା ଚାଲିଥିବା ବେଳେ ଜିଲାପାଳ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ଦଶମରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପାଇଁ ପରାମର୍ଶ ଦେଇଥିଲେ । କ୍ୟାରିୟର ସମ୍ପର୍କରେ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ । ପରେ ସେ ବିଦ୍ୟାଳୟ ପରିସର ଛାତ୍ରାବାସ, ମଧ୍ୟାହ୍ନଭୋଜନ ରୋଷଇ ଶାଳ ଓ ସ୍ମାର୍ଟ କ୍ଲାସ ରୁମ୍ ପରିଦର୍ଶନ କରିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ସେହିଭଳି ଦାରିଙ୍ଗବାଡ଼ିର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ା ସମ୍ପର୍କରେ ପଚାରି ବୁଝିବା ସହ ବିଦ୍ୟାଳୟର ଷଷ୍ଠ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀକକ୍ଷକୁ ଯାଇ ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷା, ଭବିଷ୍ୟତ ଲକ୍ଷ୍ୟ ଓ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାରଣାଙ୍କ ସହ ବିଦ୍ୟାଳୟର ଭିତ୍ତିଭୂମି ଓ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଓ ଆବଶ୍ୟକ ଭିତ୍ତିଭୂମି ନେଇ ମଧ୍ୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ପରେ ସେ ଜନ ଶୁଣାଣିରେ ଯୋଗ ଦେଇଥିଲ l ଏହି ସମୟରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।