ସ୍ୱାୟତ୍ତ ଶାସନ ଦିବସରେ ବିଧାୟକ-ସାଂସଦଙ୍କୁ ଅଣଦେଖା…

  • ପୌରପରିଷଦର ନିମନ୍ତ୍ରଣରେ ଜନପ୍ରତିନିଧି ବାଦ୍‌
  • ସରକାରୀ ପ୍ରୋଟୋକଲକୁ ଅବମାନନା ଅଭିଯୋଗ 
  • ସ୍ଥାନୀୟ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ
csp

ଗୁଣୁପୁର(ସୁନୀଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନକୁ ନେଇ ବିବାଦ ତୀବ୍ର ହୋଇଛି । ସରକାରୀ ପ୍ରୋଟୋକଲକୁ ଅଣଦେଖା କରି ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ବିଧାୟକ ଓ ସାଂସଦଙ୍କୁ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ଉଠିବା ପରେ ପୌରପରିଷଦର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି । ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୌରପରିଷଦ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ପରେ ବରିଷ୍ଠ ନାଗରିକ, ସଫେଇ କର୍ମଚାରୀ, କାଉନ୍ସିଲର ଓ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସହରରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା । ପୌରପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ସମେତ କାଉନ୍ସିଲରମାନେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ତେବେ କାର୍ଯ୍ୟକ୍ରମରେ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ବିଧାୟକଙ୍କୁ ସୂଚନା ନଥିବା ଅଭିଯୋଗ ଅନ୍ୟପକ୍ଷରେ, ସ୍ଥାନୀୟ କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କୁ ସ୍ୱାୟତ୍ତ ଶାସନ ଦିବସ ସମ୍ପର୍କରେ ପୌରପରିଷଦ ପକ୍ଷରୁ କୌଣସି ସୂଚନା କିମ୍ବା ନିମନ୍ତ୍ରଣ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏଥିସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଫଳକରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ନାମ ନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି । ଏନେଇ ବିଧାୟକ ସତ୍ୟଜିତ ଗମାଙ୍ଗ କହିଛନ୍ତି ଯେ, ପୌରପରିଷଦ ପକ୍ଷରୁ ତାଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇନଥିଲା । ଉଦ୍‌ଘାଟନ ହୋଇଥିବା ପ୍ରକଳ୍ପଗୁଡ଼ିକର ଫଳକରେ ସାଂସଦ କିମ୍ବା ବିଧାୟକଙ୍କ ନାମ ନଥିବା ନେଇ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି । ଏନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି । ପ୍ରୋଟୋକଲ ଅନୁଯାୟୀ ଆଗାମୀ ଦିନରେ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନ ଦେଇଥିବା ବିଧାୟକ କହିଛନ୍ତି । ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଯେକୌଣସି ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି । ଉପଜିଲ୍ଲାପାଳଙ୍କୁ ଦାବିପତ୍ର, ଥାନାରେ ଅଭିଯୋଗ ଏହାପରେ ବିଧାୟକଙ୍କ ସମର୍ଥକମାନେ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହ ପୁଲିସ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଗୁଣୁପୁର ଥାନାରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି । ବିଜେଡି କାଉନ୍ସିଲର ମଧ୍ୟ ଉଠାଇଲେ ପ୍ରଶ୍ନ ବିବାଦ ମଧ୍ୟରେ ପୌରପରିଷଦର ବିଜେଡି କାଉନ୍ସିଲର ତଥା ଆଇନଜୀବୀ ଦେବୀ ଆଚାର୍ଯ୍ୟ କହିଛନ୍ତି ଯେ, ନିୟମ ଅନୁଯାୟୀ ପ୍ରକଳ୍ପ ଫଳକରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ନାମ ରହିବା କଥା । ଏପରିକି ସେ ନିଜେ କାଉନ୍ସିଲର ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପାଇନଥିବା କହିଛନ୍ତି । ନିୟମ ଅନୁଯାୟୀ ଦାୟିତ୍ୱ ନିର୍ବାହରେ ଅବହେଳା ହୋଇଥିଲେ ପୌରପରିଷଦର ନିର୍ବାହୀ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ସେ ମତ ଦେଇଛନ୍ତି । ଉପଜିଲ୍ଲାପାଳଙ୍କ ଚିଠି,  ପ୍ରୋଟୋକଲ ପାଳନ ପାଇଁ ନିର୍ଦ୍ଦେଶ ଅଭିଯୋଗ ପାଇବା ପରେ ଗୁଣୁପୁର ଉପଜିଲ୍ଲାପାଳ ପୌରପରିଷଦ ଅଧ୍ୟକ୍ଷା ମମତା ଗୌଡ଼ଙ୍କୁ ଚିଠି କରି ପ୍ରୋଟୋକଲ ଅନୁଯାୟୀ କାର୍ଯ୍ୟକ୍ରମ ପାଳନ କରିବାକୁ ଜଣାଇଥିବା ସୂଚନା ମିଳିଛି । ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ମଧ୍ୟ ଉଠିଲା ଅଭିଯୋଗ l ଏହି ବିବାଦ ମଧ୍ୟରେ ଗୁଣୁପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠିତ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ଏହା ସମ୍ପର୍କିତ କାର୍ଯ୍ୟରେ ମଧ୍ୟ ଅନିୟମିତତା ଓ ଘୋଟାଲା ହୋଇଥିବା ନେଇ ଅଭିଯୋଗ ଚର୍ଚ୍ଚାକୁ ଆସିଛି । ତେବେ ଏହି ଅଭିଯୋଗର ସତ୍ୟତା ସ୍ୱାଧୀନ ଭାବେ ଯାଞ୍ଚ ହେବା ବାକି ରହିଛି । ଏହି ଘଟଣାରେ ଅତିଶୀଘ୍ର ସରକାରଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇ ତଦନ୍ତ ଦାବି କରାଯିବ ବୋଲି କିଛି ସୂତ୍ରରୁ ଜଣାପଡ଼ିଛି । ପ୍ରତିମୂର୍ତ୍ତି ନିର୍ମାଣରେ ହୋଇଥିବା ଖର୍ଚ୍ଚ, କାର୍ଯ୍ୟର ମାନ ଓ ସମ୍ପୃକ୍ତ ଦସ୍ତାବିଜ ଯାଞ୍ଚ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅଭିଯୋଗକାରୀମାନେ ଆଶା ପ୍ରକାଶ କରିଛନ୍ତି । ସ୍ୱାୟତ୍ତ ଶାସନ ଦିବସ ଭଳି ଏକ ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲ ପାଳନକୁ ନେଇ ବିବାଦ, ନିର୍ବାଚିତ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ ନଥିବା ଅଭିଯୋଗ, ପ୍ରକଳ୍ପ ଫଳକରୁ ବିଧାୟକ-ସାଂସଦଙ୍କ ନାମ ବାଦ୍‌ ଏବଂ ଏବେ ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ଉଠିଥିବା ଅନିୟମିତତା ଅଭିଯୋଗ ଘଟଣାକୁ ଆହୁରି ଗମ୍ଭୀର କରିଛି । ଏହାକୁ ନେଇ ଗୁଣୁପୁରରେ ପୌରପରିଷଦର କାର୍ଯ୍ୟପ୍ରଣାଳୀ ଓ ପ୍ରଶାସନିକ ଉତ୍ତରଦାୟିତ୍ୱ ଉପରେ ଚର୍ଚ୍ଚା ତୀବ୍ର ହେବାରେ ଲାଗିଛି ।