କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରେଣୀଗୃହ, ପାନୀୟ ଜଳର ଘୋର ସମସ୍ୟା….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଅନେକ ବିଦ୍ୟାଳୟ ଅଛି ଯାହାର ଭିତ୍ତଭୂମିର ବିକାଶ ଆଜି ପର୍ୟ୍ୟନ୍ତ ହୋଇପାରି ନାହିଁ l କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି l ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରେଣୀ କୋଠା, ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ପାଠ ପଢା । ବ୍ରାହ୍ମଣଗାଁ ଥାନା ଅଞ୍ଚଳ ସାରାମୂଳୀ ଗ୍ରାମ ପଞ୍ଚାୟତର ମାର୍ଦ୍ଧିଫଙ୍କା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି l ଏହି ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ ନାହିଁ । ଯାହା ଅଛି ତାହାର ଅବସ୍ଥା ସମୂର୍ଣ୍ଣ ବିପଦ ପୂର୍ଣ୍ଣ । ପାଚେରୀ ନଥିବାରୁ ବିଦ୍ୟାଳୟ ପରିସର ଗୋରୁଗାଈଙ୍କ ଆଡ଼ାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି l ଦାରିଙ୍ଗବାଡ଼ି ବ୍ଲକ୍‌ର ସୀମାନ୍ତ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକର ଆଜବେଷ୍ଟସ୍‌ ଛାତ ଫାଟି ଯାଇଥିବାରୁ ବର୍ଷା ହେଲେ ଶ୍ରେଣୀ ଭିତରେ ପାଣି ପଶିଯାଉଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ବସି ପାଠ ପଢ଼ିବାକୁ ସୁରକ୍ଷିତ ସ୍ଥାନ ମିଳୁନାହିଁ । ଅନେକ ସମୟରେ ପିଲାମାନେ ଭୟଭୀତ ହୋଇ ଶ୍ରେଣୀଗୃହ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି । ଏହା ସହିତ ଶ୍ରେଣୀଗୃହର କାନ୍ଥଗୁଡ଼ିକ ମଧ୍ୟ ଦୁର୍ବଳ ହୋଇପଡ଼ିଛି । ବହୁ ବର୍ଷ ପୁରୁଣା ଏହି ଶ୍ରେଣୀଗୃହଗୁଡ଼ିକ କେତେବେଳେ ଭୁଶୁଡ଼ି ପଡ଼ିବ ତାହା କହିହେବ ନାହିଁ ବୋଲି ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟରେ ନୂତନ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ସେଥିରେ ପାଣିର ବ୍ୟବସ୍ଥା ନାହିଁ । ଫଳରେ ଛାତ୍ରଛାତ୍ରୀ ଶୌଚ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ସବୁଠାରୁ ଗୁରୁତର ସମସ୍ୟା ହେଉଛି ବିଦ୍ୟାଳୟ ପରିସରରେ ପିଇବା ପାଣିର ବ୍ୟବସ୍ଥା । ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ମଧ୍ୟ ପ୍ରାୟ ଏକ କିଲୋମିଟର ଦୂରରୁ ପାଣି ଆଣିବାକୁ ପଡ଼ୁଛି ।ଏଭଳି ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ସେମାନଙ୍କ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀ ହୋଇଛି । ଏଣୁ ଜିଲ୍ଲା ପ୍ରସାଶନ ତୁରନ୍ତ ହସ୍ତକ୍ଷେପ କରି ବିଦ୍ୟାଳୟର ଶ୍ରେଣୀଗୃହ ମରାମତି, ପାଚେରୀ ନିର୍ମାଣ, ପାନୀୟଜଳ ଓ ଶୌଚାଳୟରେ ପାଣିର ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଦୃଢ଼ ଦାବି କରିଛନ୍ତି । ନଚେତ ଅଭିଭାବକମାନେ ସ୍କୁଲ ତାଲା ପକାଇ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।