ଦାରିଙ୍ଗବାଡି(ଆଶୋକ ସିଂ ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ୮୦ ତମ ସ୍ୱାଧୀନତା ଦିବସକୁ ଧୂମଧାମରେ ପାଳନ କରାଯାଇଛି । ଏହି ଅବସରରେ ସାମୁହିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ ଯୋଗ ଦେଇ ପତାକା ଉତ୍ତଳନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ଯୋଗ ଦେଇ ସ୍ୱାଧୀନତା ଦିଵସ ପାଳନ ବିଷୟରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଥାନା ଆଇଆଇସି ବିଜୟ କୁମାର ହାଇବୁରୂ, ବନାଞ୍ଚଳ ଅଧିକାରୀ ହରିହର ବେହେରା, ମେଡିକାଲ ଅଫିସର ଡ଼ଃ.ପ୍ରମୋଦ କୁମାର ସେଠୀ, ସିଆରସିସି ମଧୁରଞ୍ଜନ ବଳିଆର ସିଂ ଯୋଗ ଦେଇଥିଲେ । ପ୍ରଥମ ଥର ବ୍ରାହ୍ମଣୀଗାଁରେ ଏହି ସାମୁହିକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିବାରୁ ଏହାର ମହତ୍ ଉଦ୍ଦେଶ୍ୟ ଶ୍ରୀ ପ୍ରଶାନ୍ତ ନାୟକ ବ୍ୟକ୍ତ କରିଥିଲେ । ସ୍ଥାନୀୟ ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ବ୍ୟାଣ୍ଡ ପ୍ୟାରେଡ୍ ଅଭିବାଦନ ସହ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବନ୍ଦେ ମାତରଂ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ବ୍ୟାଣ୍ଡର କଳା କୌଶଳ ପରିବେଷଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କିରାମା ହାଟପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଋଷିମାଳ ମହାବିଦ୍ୟାଳୟର ସ୍ନାତକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ଓ ଜନ ସାଧାରଣ ଯୋଗଦାନ କରିଥିଲେ । ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ସ୍ବାଧୀନତା ଦିବସ ପାଳନ ଅୟୋଜନ କମିଟି ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇ ଥିବା ବେଳେ ଯୁବ ବର୍ଗ ସହଯୋଗ କରିଥିଲେ ।