ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ମୁଜାଗଡ଼ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଧାରଣ ଲୋକଙ୍କ ମଧ୍ୟରେ ଆଇନଗତ ଅଧିକାର, କର୍ତ୍ତବ୍ୟ, ମାଗଣା ଆଇନ ସେବା ଏବଂ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ ଯୋଗଦେଇ ଆଇନର ସୁରକ୍ଷା ଓ ନ୍ୟାୟ ପାଇବା ପ୍ରତିଟି ନାଗରିକଙ୍କ ଅଧିକାର ବୋଲି କହିଥିଲେ । ଆର୍ଥିକ ଅସୁବିଧା କାରଣରୁ କୌଣସି ବ୍ୟକ୍ତି ଯେପରି ନ୍ୟାୟରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କମିଟି ପକ୍ଷରୁ ରହିଥିବା ମାଗଣା ଆଇନ ସହାୟତା ଓ ପରାମର୍ଶ ସଂପର୍କରେ ସେ ଲୋକଙ୍କୁ ଅବଗତ କରିଥିଲେ । ଏସ୍ଡିଜେଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି ଆଇନକୁ ସମ୍ମାନ ଓ ନାଗରିକ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ୍ୟ ହିତାଧିକାରୀ ମାନେ ତାହାର ସୁଫଳ ପାଇବେ ସେଥିପାଇଁ ସଚେତନତାର ଆବଶ୍ୟକତା ରହିଥିବା କହିଥିଲେ । ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ଆଇନ ଓ ଶୃଙ୍ଖଳା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଲୋକମାନଙ୍କୁ ସଚେତନ କରିଥିଲେ । ଆଇନର ସଠିକ୍ ଜ୍ଞାନ ହିଁ ଅନେକ ସାମାଜିକ ସମସ୍ୟା ଓ ଅପରାଧକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଅଳକା ମଞ୍ଜରି ପଟ୍ଟନାୟକ ଆଇନ ସଚେତନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ ଓ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଆଇନଗତ ବ୍ୟବସ୍ଥା ତଥା ଗ୍ରାମାଞ୍ଚଳ, ଶ୍ରମିକ ବସତି ଲୋକଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବାର ଗୁରୁତ୍ୱ ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା, ପୁରୁଷ ଯୋଗଦେଇଥିଲେ ।