ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ବ୍ରାହ୍ମଣୀଗାଁକୁ ନୁତନ ବ୍ଲକର ମାନ୍ୟତା ଦାବୀ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠ ଗୋଟି ପଞ୍ଚାୟତର ଆଦିବାସୀ ଶାଖା ପକ୍ଷରୁ ବିଶ୍ବ ଆଦିବାସୀ ଦିବସକୁ ଧୁମ୍ ଧାମରେ ପାଳନ କରାଯାଇଛି । ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ ଶିବମନ୍ଦିର ଛକ ଠାରୁ ପାରମ୍ପାରିକ ବାଦ୍ୟ, ଅସ୍ତ୍ର ଶସ୍ତ୍ର ଧରି, ନାଚ ଗୀତ ଓ ଆଦିବାସୀଙ୍କ ନ୍ୟାୟ ଦାବିରେ ବିଭିନ୍ନ ନାରାବାଜି ଦେଇ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲେ l ସେଠାରେ ଏକ ସାଧାରଣ ସଭାରେ ସମସ୍ତେ ଯୋଗ ଦେଇଥିଲେ । ସଭାପତି ସୁନାର ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସନ୍ତୋଷ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାଟିଙ୍ଗିଆ ସରପଞ୍ଚ ଶୁଭଦ୍ରା ପାଡ୍ରା, ଦାରିଙ୍ଗବାଡିରୁ କୁଶନାଥ, ସମ୍ପାଦକ ସଲମନ୍  ମାଝୀ ପ୍ରମୁଖ ମଞ୍ଚାସିନ କରିଥିବା ବେଳେ ଅଞ୍ଚଳର ଅନେକ ଆଦିବାସୀ ନେତାମାନେ ଉପସ୍ଥିତ ଥିଲେ । ଆୟୋଜିତ ବୈଠକରେ ଆଦିବାସୀମାନଙ୍କ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ସହ ଶିକ୍ଷା ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯାଇ ଅଞ୍ଚଳର ସର୍ବାଙ୍ଗିନ ଉନ୍ନତୀ ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ସ୍ଥାନିୟ ଆଇଆଇସିଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବୀ ସମୂହ ମଧ୍ୟରେ ବ୍ରାହ୍ମଣୀଗାଁରେ ଏକ ନୂତନ ବ୍ଲକ ଓ ତହସିଲ ପ୍ରତିଷ୍ଠା, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଆଦି ସ୍ଥାନିତ କରଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ସରପଞ୍ଚ କପିଳାସ ମଲ୍ଲିକ, ମାନସ ମୁଠାମାଝୀ, ଉପ-ସଭାପତି ବାଳକୃଷ୍ଣ ମଲ୍ଲିକ, ମିଥୁନ ମହାମାଝୀ, ରମାକାନ୍ତ ମାଝୀ ସମେତ ବହୁ ଆଦିବାସୀ ନେତା ସହଯୋଗ କରିଥିବା ବେଳେ ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ନେତୃତ୍ୱରେ ଏସଆଇ ଭୋଳାନାଥ ପଣ୍ଡା, ଏଏସଆଇ ରାଜେନ୍ଦ୍ର ପ୍ରଧାନ, ଶୁଶାନ୍ତ ଶବରଙ୍କ ସହ ସୁରକ୍ଷା କର୍ମୀ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।