ଲଘୁଚାପ ଜନିତ ବର୍ଷାରେ ଗଛ ପଡି ରାସ୍ତା ଅବରୋଧ…

ବାଲିଗୁଡା(ସଲମନ୍ ବିନ୍ଧାଣୀ): କନ୍ଧମାଳରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା l ଏହି ବର୍ଷା ଲାଗିରହିଥିବାରୁ ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି l କେଉଁଠି ଘର ଉପରେ ଗଛ ପଡ଼ୁଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହେଉଛି l ବର୍ଷା ଲାଗି ରହିଲେ କୌଣସି ନା କୌଣସି ସମସ୍ୟାକୁ ସାମ୍ନା କରିବାକୁ ପଡ଼ୁଛି ସାଧାରଣ ଜନତାଙ୍କୁ l ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାଲିଗୁଡ଼ାରୁ ରାଇକିଆ ଯିବା ରାସ୍ତା ପିରିଗଡ଼ ପୂର୍ବରୁ ରାସ୍ତା ଉପରେ ଏକ ଶାଳ ଗଛ ପଡ଼ିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା l ପ୍ରାୟ ଦୁଇଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଏହି ଘଟଣାର କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସ୍ୱାଭାବିକ କରିଥିଲେ l