୮ ମାସ ହେଲା କଙ୍କାଳ ସଦୃଶରେ ଠିଆ ହୋଇଛି ଜିଓ ଟାୱାର, କାର୍ଯ୍ୟକ୍ଷମ ସହ ବିଏସଏନଏଲ ଟାୱାର ନିର୍ମାଣ ପାଇଁ ଦାବୀ କଲେ ବାଞ୍ଜାମାହା ଗ୍ରାମବାସୀ….
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟ ସେବା ମଣିଷର ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଙ୍ଗ ପାଲଟିଛି l ହେଲେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗ୍ରାମରେ ଏବେ ବି ମୋବାଇଲ ନେଟୱର୍କ ଏକ ସ୍ୱପ୍ନ ପାଲଟିଛି ।
ଗ୍ରାମରେ ଜିଓ କମ୍ପାନୀ ପକ୍ଷରୁ ମୋବାଇଲ ଟାୱାରର ଲୁହା ଖୁଣ୍ଟି ଠିଆ ହେବାର ଦୀର୍ଘ ୮ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନେଟୱାର୍କ ସଂଯୋଗୀକରଣ କରାଯାଇ ନାହିଁ । ଫଳରେ ନେଟୱର୍କ ପାଇଁ ବାଞ୍ଜାମାହା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ଏବଂ ପ୍ରଶାସନିକ ପ୍ରଚେଷ୍ଟା ପରେ ପ୍ରାୟ ଆଠ ମାସ ତଳେ ବାଞ୍ଜାମାହା ଗ୍ରାମରେ ଏହି ଜିଓ ଟାୱାର ନିର୍ମାଣ କରାଯାଇଥିଲା । ଟାୱାର ଖୁଣ୍ଟି ଠିଆ ହେବା ପରେ ଅଞ୍ଚଳରେ ନେଟୱର୍କ ସମସ୍ୟାର ସମାଧାନ ହେବ ଏବଂ ଲୋକେ ଡିଜିଟାଲ ଦୁନିଆ ସହ ଯୋଡ଼ି ହୋଇପାରିବେ ବୋଲି ଆଶା ବାନ୍ଧିଥିଲେ । ମାତ୍ର କମ୍ପାନୀ ଓ ପ୍ରଶାସନର ଚରମ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଏଥିରେ ମେସିନ୍ ସଂଯୋଗୀକରଣ କରାଯାଇ ନାହିଁ । ଦୀର୍ଘ ୮ ମାସ ହେଲା ଟାୱାରଟି କେବଳ ଏକ କଙ୍କାଳ ସଦୃଶ ଠିଆ ହୋଇ ରହିଛି । ନେଟୱର୍କ ନଥିବା ଯୋଗୁଁ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ଓ ଯୁବପିଢ଼ି ହଇରାଣ ହେଉଛନ୍ତି ।ଗ୍ରାମର ଅନଲାଇନ୍ ପାଠପଢ଼ା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଫିଲପ୍ କିମ୍ବା କୌଣସି ଶିକ୍ଷାଗତ ତଥ୍ୟ ପାଇବା ପାଇଁ ସେମାନଙ୍କୁ ଦୀର୍ଘ ୪ କିଲମିଟର ଦୂର ପାହାଡ଼ି ରାସ୍ତା ଅତିକ୍ରମ କରି ସିର୍କାବର୍ଗ ଗ୍ରାମକୁ ଯିବାକୁ ପଡ଼ୁଛି । ଏହା ସହିତ ଗ୍ରାମରେ କୌଣସି ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ, ଆମ୍ବୁଲାନ୍ସ କିମ୍ବା ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ । ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର ଅନଲାଇନ୍ କାମ ପାଇଁ ଲୋକେ ପ୍ରତ୍ୟେକ ଦିନ ଦାରିଙ୍ଗବାଡ଼ିକୁ ଯାଇ ଯାଇ ନିରାଶ ହେଉଛନ୍ତି ।ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଯୁବ ସଙ୍ଗଠନ ପକ୍ଷରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ସାର ହେଉଛି । ତେଣୁ ଏହି ଜିଓ ଟାୱାରକୁ ତୁରନ୍ତ ସଂଯୋଗୀକରଣ ସହ ବିଏସଏନଏଲ ଟାୱାର ନିର୍ମାଣ ଓ ସିର୍କାବର୍ଗ ବିଏସଏନଏଲ ଟାୱାର ରେଞ୍ଜ ବଢ଼ାଇବା ପାଇଁ ବାଞ୍ଜାମାହା ଅଞ୍ଚଳବାସୀ ଜିଲ୍ଲାପାଳ, ବିଡିଓ ଏବଂ ଜିଓ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ଏହି ଅଞ୍ଚଳର ଜନସାଧାରଣ ଦିନମଜୁରିଆ ହୋଇ ଥିବାରୁ ଜିଓ ଅପେକ୍ଷା ବିଏସଏନଏଲ ନେଟୱାର୍କ ପ୍ଲାନ ଶସ୍ତା ହୋଇ ଥିବାରୁ ବ୍ୟବହାର ସହଜ ହେବ ବୋଲି ମଧ୍ୟ କହିଛନ୍ତି l ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଗ୍ରାମବାସୀ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l
