ଓମାନିଆ ହେଲଥ୍ କେୟାର ସେଣ୍ଟର’ର ଭବ୍ୟ ଉଦ୍‌ଘାଟିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପଦ୍ମପୁରଠାରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ‘କଣ୍ଟ୍ରି ନିରୋଗ ଆୟୁର୍ବେଦ’ ଏବଂ ‘ଏମଜିଏମଏପି (MGMAP) ଟ୍ରଷ୍ଟ’ର ମିଳିତ ଆନୁକୂଲ୍ୟରେ ‘ଓମାନିଆ ହେଲଥ୍ କେୟାର ସେଣ୍ଟର’ (Womanniya Health Care Centre)ର ଭବ୍ୟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଶ୍ରୀଯୁକ୍ତ ସନ୍ତୋଷ କୁମାର ବାରିକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମହିଳା ଓ ଶିଶୁମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ସୁବିଧା ଯୋଗାଇଦେବା ଭଳି ଏକ ମହତ୍ ପ୍ରୟାସକୁ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଉଚ୍ଚ ପ୍ରଶଂସା କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ପଦାଧିକାରୀ ଭାବେ ଲକ୍ଷ୍ନୌରୁ ‘କଣ୍ଟ୍ରି ନିରୋଗ ଆୟୁର୍ବେଦ’ର ଡିରେକ୍ଟର ଡାକ୍ତର ରାକେଶ ଲଳିତ, ଡିରେକ୍ଟର ଶ୍ରୀ ଶଶୀକାନ୍ତ ଶ୍ରୀବାସ୍ତବ, ଡିରେକ୍ଟର ଶ୍ରୀ ଜୀବନ ସିଂ ଏବଂ ବିଶିଷ୍ଟ ଚିକିତ୍ସକ ଡାକ୍ତର ଭଗବାନ ରାମ ଉପସ୍ଥିତ ଥିଲେ । ଏଥି ସହିତ ଭୋପାଳରୁ ‘ଓମାନିଆ ହେଲଥ୍ କେୟାର ପ୍ରାଇଭେଟ୍ ଲିମିଟେଡ୍’ର ଡିରେକ୍ଟର ଶ୍ରୀ ଶାରଦା ମିଶ୍ର ଏବଂ ଡିରେକ୍ଟର ଶ୍ରୀ ରାଜପାଲ ରାବତ ଯୋଗଦେଇ ସେଣ୍ଟରର ଲକ୍ଷ୍ୟ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ‘ଏମଜିଏମଏପି (MGMAP) ଟ୍ରଷ୍ଟ’ର ଚେୟାରମ୍ୟାନ୍ ଶ୍ରୀ ପ୍ରଦୀପ କୁମାର କର ପରିଚାଳନା କରିଥିବା ବେଳେ ଓମାନିଆ ହେଲଥ୍ କେୟାର ପ୍ରୋଜେକ୍ଟ ଗଜପତିର ଏରିଆ ମ୍ୟାନେଜର ଶ୍ରୀ ସାଜନ କାଉଁରୀ, ମୟୂରଭଞ୍ଜର ସର୍କଲ ହେଡ୍ ଶ୍ରୀ ନକୁଳ ମାଟିଆ ଏବଂ ରାୟଗଡର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର କୁମାରୀ ସୁପ୍ରଭା ଶବର ଏବଂ ଶ୍ରୀ ବିଶ୍ୱନାଥ ଶବର ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ । ସ୍ଥାନୀୟ ପ୍ରତିନିଧି ଭାବେ ଜଲାଙ୍ଗ ସରପଞ୍ଚ ଶ୍ରୀ ଲାବଣ୍ୟ ଶବର, ପଦ୍ମପୁର ୱାର୍ଡମେମ୍ବର ଶ୍ରୀ ଶରତ କୁମାର ପାତ୍ର ଏବଂ ବିଶିଷ୍ଟ ଭଦ୍ରବ୍ୟକ୍ତି ମାନେ ଯୋଗଦେଇ ଏହି ସେଣ୍ଟର ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳଦାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ହେଲଥ୍ କେୟାର ସେଣ୍ଟରରେ ବିଶେଷ କରି ମହିଳାମାନଙ୍କର ଋତୁସ୍ରାବର ସମସ୍ୟା ହେଲେ ସେମାନେ ଜାଣି ନ ପାରିଲେ ବିଭିନ୍ନ ପ୍ରକାରର gynic ରୋଗରେ ପୀଡିତ ହୁଅନ୍ତି l ଏଣୁ ସେମାନେ ପ୍ରାଥମିକ ଅବସ୍ଥାରେ କିପରି ନିଜେ ଜାଣିପାରିବେ ଏବଂ health care centerକୁ ଆସି ଡାକ୍ତରଙ୍କ ମାଗଣା ପରାମର୍ଶ ନେଇ ଏଥିରୁ ମୁକ୍ତି ପାଇବେ ଏହାର ସୁବିଧା ଉପଲବ୍ଧ କରାଯାଇଛି l ଯାହା ଗଜପତି ଜିଲ୍ଲା ଏବଂ ଆଖପାଖ ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଅନୁଷ୍ଠାନ ପକ୍ଷରୁ ଆଶା ପ୍ରକାଶ ପାଇଛି ।