ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ଚଳିତ ବର୍ଷ ସାରା ରାଜ୍ୟରେ କେ.ଜି ଠାରୁ ପି.ଜି ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ ମାଗଣା ପାଠ ପଢ଼ିବେ ବୋଲି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ l ଗତକାଲି ଠାରୁ ରାଜ୍ୟର ସମସ୍ତ ମାଧ୍ୟମିକ ଉଚ୍ଚବିଦ୍ୟାଳୟ, କଲେଜ ଗୁଡ଼ିକରେ ଯୁକ୍ତ ଦୁଇ ଆଡମିଶନ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ରୀଛାତ୍ରମାନଙ୍କୁ ନିଃଶୁଳ୍କ ଆଡମିଶନ କରାଯାଉଥିବା ଦେଖିବାକୁ ମିଳିଛି l
ଏହି କ୍ରମରେ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟାପକ ତଥା ଆଡମିଶନ କୋଡ଼ିନେଟର ନଳିନୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ କଳା ବିଭାଗରେ ୩୨୦ ଏବଂ ବିଜ୍ଞାନ ବିଭାଗ ନିମନ୍ତେ ୧୨୮ ସିଟ ରହିଥିବା ବେଳେ ଶୁକ୍ରବାର ସୁଦ୍ଧା କଳା ବିଭାଗରେ ୧୧୦ରୁ ଉର୍ଦ୍ଧ ଏବଂ ବିଜ୍ଞାନରେ ୭୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆଡମିଶନ କରିଥିବା ସୂଚନା ମିଳିଛି l ସେହିପରି ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ଇନଚାର୍ଜ ତଥା ଅଧ୍ୟାପିକା ଡ଼ ବବିତା ରାଣୀ ପଟ୍ଟନାୟକଙ୍କ ତତ୍ୱାବଧାନରେ କେବଳ କଳା ବିଭାଗ ନିମନ୍ତେ ଅନୁମୋଦିତ ୨୫୬ ସିଟ ମଧ୍ୟରୁ ଦୁଇଦିନରେ ୧୨୦ରୁ ଉର୍ଦ୍ଧ ଛାତ୍ରୀ ଆଡମିଶନ କରିଛନ୍ତି l ସରକାରଙ୍କ ନିର୍ଦେଶ ଅନୁଯାୟୀ ନିଃଶୁଳ୍କ ଆଡମିଶନ କରୁଥିବା ଛାତ୍ରୀଛାତ୍ର ଏବଂ ଅଭିଭାବକ ଖୁସି ବ୍ୟକ୍ତ କରିଥିବା ବେଳେ ଉକ୍ତ ଅନୁଷ୍ଠାନ ନିମନ୍ତେ ସରକାରଙ୍କ ତରଫରୁ କୌଣସି ଅନୁଦାନ ଆସୁନଥିବା ବେଳେ ଅନୁଷ୍ଠାନର ଅନ୍ୟାନ୍ୟ ବାର୍ଷିକ ପରିଚାଳନା କିପରି ହେବ ସେ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି l
Prev Post