ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାଜ୍ୟର ସମସ୍ତ ଥାନାରେ ସଚେତନତା କାର୍ଯ୍ୟକ୍ରମ ‘ଜୁଭେଣ୍ଟିକା’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭିସି ଯୋଗେ ଏହାକୁ ଅପରାହ୍ଣ ୪ଟା ବେଳେ ଉଦ୍ଘାଟନ କରିଥିବା ବେଳେ ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ ଥାନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭଞ୍ଜନଗର ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍.ପି ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାଇବର୍ ସଚେତନତା ଉପରେ ଆଲୋକପାତ କରିଥିଲେ । ନିଜର ସମସ୍ୟା ବିଷୟରେ ଖୋଲାଖୋଲି ପ୍ରକାଶ ପାଇଁ ଯୁବପିଢ଼ି ସଂକୋଚ କରୁଥିବା ବେଳେ ଭବିଷ୍ୟତରେ ତାହା ବଡ଼ଧରଣର ଅପରାଧର ରୂପ ନେଉଛି । ଭୟ ନକରି ଯୁବପିଢ଼ି ନିଜ ସମସ୍ୟା ବିଷୟରେ ପୁଲିସକୁ ଜଣାନ୍ତୁ ବୋଲି ଏସ୍ପି ଶ୍ରୀ ପାତ୍ର କହିଛନ୍ତି । କାର୍ଯ୍ୟକ୍ରମରେ କିଶୋର କିଶୋରୀଙ୍କ ସମେତ ବହୁ ମହିଳା ଓ ଅଙ୍ଗନବାଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ । ପୁଲିସର ଦୈନନ୍ଦିନ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯିବା ସହ ପୁଲିସ ସର୍ବଦା ଲୋକଙ୍କ ସେବାରେ ରହିଛି ବୋଲି କୁହାଯାଇଥିଲା । ସାଇବର୍ ଠକେଇ ଠାରୁ କିପରି ଦୂରେଇ ରହିବା, ପୁଲିସକୁ ଭୟ ନକରି ଯେକୌଣସି ଅସୁବିଧା ହେବା ମାତ୍ରକେ ଖବର ଦେବା ଓ ସହଯୋଗ କରିବା, ନିଜ ଫଟୋକୁ ମୋବାଇଲ୍ରେ ଅପଲୋଡ୍ ନ କରିବା ଓ ପ୍ରୋଫାଇଲ୍କୁ ଗୋପନୀୟ ରଖିବା, ମୋବାଇଲ୍ରୁ ଭଲ ଶିକ୍ଷା ଗ୍ରହଣ କରିବା ଆଦି ଉପରେ ସଚେତନ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ପିଲାମାନେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଥାନା ପରିସର ବୁଲି ଥାନାର କାର୍ଯ୍ୟଶୈଳୀ ସଂପର୍କରେ ପଚାରି ବୁଝିଥିଲେ । ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସ୍ଆଇ ସମୀର କୁମାର ସେଠୀ, ଜ୍ୟୋତ୍ସ୍ନାମୟୀ ସାହୁ, ଲକ୍ଷ୍ମୀଧର ମହାନ୍ତି, ସତ୍ୟନାରାୟଣ ମଲ୍ଲିକ, ବିଦେଶୀ ବେହେରା ଓ ରୁଦ୍ରପ୍ରସାଦ କହଁର ପ୍ରମୁଖ ଉପସ୍ଥିତ ଥିଲେ ।