ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଦାରିଙ୍ଗବାଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପଣା ବଣ୍ଟନ….

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଦାରିଙ୍ଗବାଡି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନୀଳକନ୍ଦର ସାହିର ଛାତ୍ରଛାତ୍ରୀମାନେ ଏକାଠି ହୋଇ ଭୀଷଣ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସୁସ୍ବାଦ ପଣା ସମେତ ଦହି ପଣା କରି ପଥଚାରୀ ଓ ଜନସାଧାରଣଙ୍କୁ ଆପ୍ୟାୟିତ କରିଛନ୍ତି । ​ ଏହି କାର୍ଯ୍ୟକ୍ରମ ଜରିଆରେ ସେମାନେ ଓଡ଼ିଆ ପରମ୍ପରାରେ ପଣାର ମହତ୍ତ୍ଵ ଓ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଦଶମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁଙ୍କ ନେତୃତ୍ୱରେ ଆଦ୍ୟାଶ୍ରୀ ସାହୁ, ଆୟୁଷ କୁମାର ସାହୁ, ଆୟୁଷ ବେହେରା, ବିବେକ ସାହୁ, ଆରୁଷି ସାହୁ, ଚିତ୍ତରଞ୍ଜନ ସାହୁ, ରୋଶନ ସାହୁ ପ୍ରମୁଖ ଏହି ବଣ୍ଟନର ଆୟୋଜନ କରିଥିଲେ । ଏଥିରେ ନୀଳକନ୍ଦର ସାହି ବାସିନ୍ଦା ଓ ଅଭିଭାବକ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ​ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେବା ମନୋଭାବ ଜାଗ୍ରତ କରିବା ସହ ନିଜ ସଂସ୍କୃତି ସହ ଯୋଡ଼ି ହୋଇ ରହିବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଚଣ୍ଡ ଖରାରେ ପଥଚାରି ପଣା ପାଇଁ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।