ସୁଧୁରୁନି ସମସ୍ୟା, ନାହୁଡ଼ିମାହା ଗ୍ରାମବାସୀଙ୍କ ପାଇଁ ଆଜି ବି ଭରସା ଚୂଆ ପାଣି….

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜାମାହା ଗ୍ରାମର ନାହୁଡ଼ିମାହା ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା । କୁହାଯାଏ ଜଳ ହିଁ ଜୀବନ । ଶରୀର ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକ । ଏଥିପାଇଁ ସରକାରଙ୍କ ଅନେକ ଯୋଜନା ସତ୍ତ୍ବେ ଏପଟେ କିନ୍ତୁ  ଲୋକଙ୍କ ପାଖରେ ପହଞ୍ଚି ପାରୁନି ତା’ର ସଫଳ ରୂପାୟନ । ଯାହା ଫଳରେ ଲୋକେ ଆଜି ବି ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଚୂଆ ପାଣି ଉପରେ ନିର୍ଭର କରୁଥିବା ଘଟଣା ଦେଖିବାକୁ ମିଳିଛି । ସେହି ଚୂଆ ପାଣିକୁ ବ୍ୟବହାର କରି ଅନେକ ଶିଶୁ ଓ ବୟସ୍କ ରୋଗାଗ୍ରସ୍ତ ହେବା ସହ ଅମୂଲ୍ୟ ଜୀବନ ହାରିଛନ୍ତି ଓ ହରାଉଛନ୍ତି ମଧ୍ୟ । ତଥାପି ପ୍ରଶାସନ ଘୋର ନିଦ୍ରାରେ । ଏହି ନାହୁଡ଼ିମାହା ସାହିର ସମସ୍ୟାକୁ ନେଇ ସ୍ଥାନୀୟ ଓ୍ବାର୍ଡ଼ମେମ୍ବର, ସରପଞ୍ଚ, ସମିତିସଭ୍ୟ ତଥା ବ୍ଲକ ପ୍ରଶାସନକୁ ଲିଖିତ ଏବଂ ମୌଖିକ ଭାବେ ବାରମ୍ବାର ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ମିଳି ପାରୁନାହିଁ । ଏଠି ସାଧାରଣରେ ପ୍ରଶ୍ନ ଉଠେ ପ୍ରଶାସନ ଜାଣି ଶୁଣି ଅଜଣା ନା’ ଉକ୍ତ ସାହିର ଜନସାଧାରଣଙ୍କ ପ୍ରତି ଉଦାସୀନତା ? କାରଣ ଦୀର୍ଘ ଦିନର ସମସ୍ୟା ଆଜି ବି ଅବହେଳିତ ନାହୁଡ଼ିମାହା ବାସୀ । ବାଞ୍ଜାମାହା ଗ୍ରାମର ସଲାଗୁଡ଼ି ସାହିର ଭୌଗୋଳିକ ପରିସ୍ଥିତି ଅତି ସାଂଘାତିକ । ସତେ ଯେମିତି ଅଭିଶପ୍ତ ଗାଆଁ ଟିଏ । ଏଠାରେ ନା’ ଭଲ ରାସ୍ତାଟିଏ ଅଛି ନା ବିଶୁଦ୍ଧ ପାନୀୟ ଜଳର ଯୋଗାଣ । ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଚୂଆ ପାଣି ଓ ନାଳ ପାଣି ଉପରେ ନିର୍ଭର କରି ଆସୁଛନ୍ତି । ଏପଟେ ଲୋକଙ୍କ ଚେତାବନୀ ଯଦି ଏହି ସମସ୍ୟାକୁ ତୁରନ୍ତ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ଯେଉଁ ପର୍ଯ୍ୟନ୍ତ ନନ୍ୟାୟ ମିଳିନାହିଁ ସେହି ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ।