ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କୁଟ୍ଲାରିଗାଁ ଠାରେ କଟକ ଡାଇସେସର ଗଜପତି ପାଷ୍ଟୋରେଟ ୟୁନିୟନ ପକ୍ଷରୁ ୨୨ତମ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଛି । ଏହା ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ବୁଧବାର ଦିନ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁରରୁ ଆଚାର୍ଯ୍ୟ ଷ୍ଟିଫେନ ଲିମା ଓ ଆଚାର୍ଯ୍ୟ ଅକ୍ଷୟ କୁମାର ପଟ୍ଟନାୟକ ଯୋଗ ଦେଇ ବାଇବଲରୁ ଈଶ୍ବରଙ୍କ ବାକ୍ୟ “ଅସ୍ଥିର ଜଗତରେ ବିଶ୍ୱାସରେ ସ୍ଥିର ରହିବା” ପ୍ରସଙ୍ଗ ଉପରେ ବାକ୍ୟ ପରିବେଷଣ କରିଥିଲେ ।
ଉତ୍ତର ଭାରତ ମଣ୍ଡଳୀ କଟକ ଡ଼ାୟୋସେସର ବିଶପ ସୁରେନ୍ଦ୍ର କୁମାର ନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ମହାସଭାରେ ଅନ୍ୟତମ ଅତିଥି ଭାବେ କଟକ, ପୁରୀ ଓ ଗଞ୍ଜାମ ପାଷ୍ଟୋରେଟର କର୍ମକର୍ତ୍ତାମାନେ ଯୋଗ ଦେଇଥିବା ବେଳେ ଗଜପତି ପାଷ୍ଟୋରେଟ ୟୁନିୟନର ୧୨୭ ଟି ମଣ୍ଡଳୀରୁ ଶତାଧିକ ବିଶ୍ବାସୀ ଯୋଗ ଦେଇଥିଲେ । ଏହି ଅବସରରେ ଅଞ୍ଚଳର ବିଭିନ୍ନ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୧ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠା ମାଝୀ, ୧୦ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ, କୁମ୍ଭାରିଗାଁ ସରପଞ୍ଚ ସୁମିତ୍ରା ଦଳବେହେରା, ଝିଞ୍ଜୀରିଗୁଡା ସରପଞ୍ଚ ଚାନ୍ଦିନୀ ପ୍ରଧାନ, ପାଣିଗଣ୍ଡା ସରପଞ୍ଚ ବାବୁଲି ମୁଠାମାଝୀ, ତାଯୁଙ୍ଗିଆ ସମିତି ସଭ୍ୟ ଅକ୍ଷୟ କୁମାର ନାୟକ, କଂଗ୍ରେସ ଦଳର ନେତା ଅମିର୍ ଚାନ୍ଦ ନାୟକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ତଥା ବିଶପ୍ ସୁରେନ୍ଦ୍ର କୁମାର ନନ୍ଦ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଆଞ୍ଚଳିକ ତତ୍ତ୍ୱାବଧାରକ ଆଚାର୍ଯ୍ୟ ଇଶାକ ମଣ୍ଡଳ ଓ ଆଚାର୍ଯ୍ୟ ସାମସନ୍ ଶବର ସମସ୍ତ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଗଡମା ପାଷ୍ଟୋରେଟର ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଆଞ୍ଚଳିକ ତତ୍ତ୍ୱାବଧାରକ ଶ୍ରୀ ମଣ୍ଡଳ , ସଭାପତି ସାମସନ୍ ଶବର, ସମ୍ପାଦକ ରମାକାନ୍ତ ମାଝୀଙ୍କ ନେତୃତ୍ୱରେ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା, ଯୁବକ ଯୁବତୀମାନେ ସହଯୋଗ କରିଥିଲେ ।