ଆରମ୍ଭ ହେଲା ଖ୍ରୀଷ୍ଟ ସମ୍ପ୍ରଦାୟର ୪୦ ଦିନର ତପସ୍ୟା ଓ ଉପବାସ, ବ୍ରାହ୍ମଣୀଗାଁରେ ଭସ୍ମ ବୁଧବାର ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ): କ୍ୟାଥଲିକ ଖ୍ରୀଷ୍ଟ ସମ୍ପ୍ରଦାୟର  ରୀତି ଓ ପରମ୍ପରା ଅନୁଯାଇ ବିଭିନ୍ନ  ଚର୍ଚ୍ଚଗୁଡିକରେ ଭସ୍ମ ବୁଧବାର ପାଳନ କରାଯାଇଅଛି । ଏହି ବୁଧବାର ଠାରୁ ଗୁଡ଼ ଫ୍ରାଇ ଡେ ପର୍ୟ୍ୟନ୍ତ ପ୍ରାୟ ୪୦ ଦିନ ପ୍ରତ୍ୟେକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଉପବାସ ପ୍ରାର୍ଥନା, ତପସ୍ୟା, ଦାନ, ଧର୍ମ ରେ ବ୍ରତୀ ରହି ଥାନ୍ତି l ଏହି ସମୟକୁ ଅତି ଗୁରୁତ୍ଵ ପୂର୍ଣ୍ଣ ସମୟ ଭାବେ ଗ୍ରହଣ କରିଥାନ୍ତି । ପାପ କର୍ମରୁ ମନ ଫେରାଇବା ସହ ସ୍ଵକୃତ ପାପ ପାଇଁ ଈଶ୍ବରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ଆଗମୀ ଜୀବନରେ ପବିତ୍ର ଜୀବନ ଯାପନ କରିବାକୁ ମନସ୍ଥ କରିଥାଆନ୍ତି ।  ମାଟିରେ ଗଢ଼ା ମନୁଷ୍ୟ ଦିନେ ମାଟିରେ ହିଁ ଲିନ ହେବ l କିନ୍ତୁ ଆତ୍ମା ଈଶ୍ବରଙ୍କ ନିକଟକୁ ଫେରି ଯିବ l ଏଣୁ ପାପ କର୍ମରେ ଲିପ୍ତ ଥିବା ବ୍ୟକ୍ତି ମନ ପରିବର୍ତ୍ତନ କରି ସତ୍ୟରେ ଆଚରଣ କରିବାକୁ ଯାଜକ ପରମର୍ଶ ଦେବା ସହ ଦିବ୍ୟ ଯଜ୍ଞ ଉତ୍ସର୍ଗ କରିଥାଆନ୍ତି । ଏହି ଅବସରରେ କନ୍ଧମାଳ ଜିଲ୍ଳା ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚରେ ଯାଜକ ଭଞ୍ଜ କିଶୋର ନାୟକଙ୍କ ପୌରହିତ୍ୟରେ ମିଳିତ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା । କ୍ୟାଥଲିକ ମଣ୍ଡଳୀର ପରମ୍ପରା ଓ ରୀତିନୀତି ଅନୁଯାୟୀ ପ୍ରତ୍ୟେକ ବିଶ୍ବାସୀଙ୍କ ମସ୍ତକରେ ଭସ୍ମ ଲେପନ କରି ଉପବାସ ପ୍ରାର୍ଥନାର ଶୁଭାରମ୍ଭ କରିଥିଲେ ଏବଂ ବାଇବଲରୁ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିଥିଲେ । ତାଙ୍କ ବକ୍ତବ୍ୟରେ ଉତ୍ତମ ଖ୍ରୀଷ୍ଟିୟ ଜୀବନ ଯାପନ କରିବା, ମସ୍ତକରେ ଭସ୍ମ ଲେପନ କରି ପ୍ରାର୍ଥନା ଉପବାସରେ ବ୍ରତୀ ରହି ପାପ ପଥରୁ କିଭଳି ମନ ପରିବର୍ତ୍ତନ କରି ପବିତ୍ର ଜୀବନ ଯାପନ କରିବା ସହ ଈଶ୍ବରଙ୍କ ସାନିଧ୍ୟ ଲାଭ କରି ପାରିବେ ସେନେଇ ପରାମର୍ଶ ଦେଇଥିଲେ ।