ଦାରିଙ୍ଗବାଡି(ଅଶୋକ ସିଂ): ସମଗ୍ର ବିଶ୍ୱରେ ଖ୍ରୀଷ୍ଟ ସାମ୍ପ୍ରଦାୟର ଲୋକେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନକୁ ବଡ଼ ଦିନ ପର୍ବ ଭାବେ ପାଳନ କରୁଛନ୍ତି । ବର୍ଷରେ ଥରେ ପରିବାରରେ ଖୁସି ଓ ଆନନ୍ଦ ଆଣିବା ପାଇଁ ଦୂର ଦୁରାନ୍ତରେ ରହୁ ଥିବା ବ୍ୟକ୍ତିମାନେ ନିଜ ପରିବାରରେ ସାମିଲ ହେବା ପାଇଁ ଛୁଟି ନେଇ ଘରକୁ ଆସିଥାନ୍ତି । ବର୍ଷରେ ଥରେ ଏକତ୍ରିତ ହୋଇ ପର୍ବ ପାଳନ କରିବା ପାଇଁ ସମସ୍ତେ ଅପେକ୍ଷାରେ ଥାନ୍ତି l ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ଚର୍ଚ୍ଚରେ ବଡ଼ଦିନ ପର୍ବକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରାଯାଇଛି । ବୁଧବାର ରାତ୍ର ଉଜାଗର ପ୍ରାର୍ଥନା ସହ ଗୁରୁବାର ଦିନ ପ୍ରତ୍ୟେକ ଚର୍ଚ୍ଚରେ ଧୁମ ଧାମରେ ବଡ଼ଦିନ ପର୍ବ ପାଳନ କରିବା ସହ କେକ୍ କାଟି ପରସ୍ପରକୁ ଶୁଭେଚ୍ଛା ଜଣାଇ ଛନ୍ତି । ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ବଡ଼ଦିନ ପର୍ବ ପାଳନରେ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ବୁଧବାର ରାତ୍ରି କାଳୀନ ଉଜାଗର ପ୍ରାର୍ଥନା ସଭାରେ ଯୋଗ ଦେଇଥିବା ବେଳେ ଯାଜକ ବିମଳ ଚନ୍ଦ୍ର ନାୟକଙ୍କ ପୌରାହିତ୍ୟରେ ଏକ ମିଳିତ ଦିବ୍ୟଯଜ୍ଞ ଅନୁଷ୍ଠିତ ହୋଇଥିଲା ଏବଂ ଗୁରୁବାର ଦିନ ସହକାରୀ ଯାଜକ ନବୀନ ବଳିଆର ସିଂଙ୍କ ପୌରାହିତ୍ୟରେ ମଧ୍ୟ ଦିବ୍ୟଯଜ୍ଞ ଅନୁଷ୍ଠିତ କରାଯାଇ ଥିଲା l ଥଣ୍ଡା କାକରକୁ ଖାତିରି ନକରି ରାତ୍ରୀ କାଳୀନ ଦିବ୍ୟ ଯଜ୍ଞରେ ବିଶ୍ୱାସୀମାନେ ଯୋଗ ଦେଇ ପ୍ରାର୍ଥନା ଓ ଉପାସନା କରିଥିବା ବେଳେ ଗୁରୁବାର ଦିନ ସେହି ପର୍ବକୁ ଧୂମଧାମରେ ପାଳନ କରାଯାଇଛି । ପ୍ରତ୍ୟେକ ସାହି ଗଳି ବଜାର ଛକ ସ୍ଥାନମାନଙ୍କରେ ଗୁହାଳ ଘର ସାଜସଜ୍ଜା କରିବା ସହ ଚର୍ଚ୍ଚ ଗୁଡିକୁ ଆଲୋକୀ କରଣ କରି ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ମାଳ ଓ ତୋରଣରେ ସାଜସଜ୍ଜା କରାଯାଇଛି । କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମ୍ବେଦନଶିଳ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୁ ଓ ଦାରିଙ୍ଗବାଡି ଥାନା ଡ଼ି ଏସ ପି କନକ ମାଝୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଦିନ ରାତି ପହରା ଦେଇ ଆଇନ ଶୃଙ୍ଖଳା ରକ୍ଷା ବଜାୟ ରଖି ଥିଲେ । କନ୍ଧମାଳ ଡ଼ିଏସପି ଉପସ୍ଥିତ ରହି ଏହି ସମସ୍ତର ତଦାରଖ କରିଥିଲେ ।