ଶାନ୍ତି ଝରରେ ଜମିଲା ପର୍ଯ୍ୟଟକଙ୍କ ଭିଡ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗଞ୍ଜାମ ଜିଲ୍ଲା ଧରାକୋଟ ଗଡର ନିକଟରେ ଥିବା ଶାନ୍ତି ଝର ପୀଠରେ ପର୍ଯ୍ୟଟକଙ୍କ ଭିଡ ଚଳିତ ଡିସେମ୍ବର ମାସରେ ବେଶ ଜମିବାରେ ଲାଗିଛି । ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠ ପ୍ରତି ଧୀରେ ଧୀରେ ଆକର୍ଷିତ ହେଉଛନ୍ତି ପର୍ଯ୍ୟଟକ ।  ଆକର୍ଷଣୀୟ ପ୍ରାକୃତିକ ପରିବେଶ ସାଙ୍ଗକୁ ବଣ ଜଙ୍ଗଲରୁ ଝରି ଆସୁଥିବା ଝରଣାର କୁଳୁ କୁଳୁ ନାଦ ଏହାର ପରିବେଶକୁ ଆହୁରି ଅମୋଦିତ କରୁଛି । ପୀଠର ଆରମ୍ଭରେ ଥିବା ଶାନ୍ତିର ପ୍ରତୀକ ଭଗବାନ ବୁଦ୍ଧଙ୍କ ପ୍ରତିର୍ମୂର୍ତି ଦର୍ଶକଙ୍କ ମନ ମୋହୁଥିବା ବେଳେ ପୀଠର ପାଦ ଦେଶରେ ମା କଠୁଳିଆ ଦେବୀଙ୍କ ମନ୍ଦିର ମଧ୍ୟ ଭାଗରେ ସିଦ୍ଧ ଗୁମ୍ଫାରେ ବିରାଜିତ ମା ରାଜ ରଜେଶ୍ୱରି ଗଡଚଣ୍ଡିଙ୍କ ଜ୍ୱଳନ୍ତ ମୂର୍ତ୍ତି, ପାହାଡ ଶିଖରରେ ହନୁମାନ ବାଟିକା, ହନୁମାନ ବାଟିକା ନିକଟରେ ଜଳ ପରିପୂର୍ଣ କୁଣ୍ଡ ତଳ ଭାଗରେ ରହିଥିବା ଶିଶୁ ପାର୍କ ପିଲାଙ୍କ ମନ ମହୁଥିବା ବେଳେ ମହାବୀର ଘାଟିରେ ଗାଡି ଚାଳନା ପର୍ଯ୍ୟଟକମାନଙ୍କୁ ଅନନ୍ୟ ଅନୁଭୂତି ଦେଉଛି  । ବିଶେଷ କରି ଡିସେମ୍ବର ଓ ଜାନୁଆରୀ ମାସରେ ରାଜ୍ୟର କୋଣ ଅନୁକୋଣରୁ ଲୋକେ ଏଠାରେ ଭିଡ ଜମାଉଥିବା ବେଳେ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀମାନେ ପିକନିକ ପାଇଁ ଏଠାରେ ଭିଡ ଜମାଉଛନ୍ତି । ବଣ ଭୋଜି ପାଇଁ ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଭୋଜି ରାନ୍ଧିବା ପାଇଁ ପିଣ୍ଡି , ସୁନ୍ଦର ପରିବେଶ ଓ ନିକଟରେ ଥିବା ପାର୍କିଂ ସ୍ଥାନ ଦର୍ଶକଙ୍କୁ ଏଠାକୁ ଆକୃଷ୍ଟ କରିଥାଏ । ସବୁଠାରୁ ଆକର୍ଷଣୀୟ କଥା ହେଲା ସନ୍ଧ୍ୟା ସମୟରେ ମୟୂର ପକ୍ଷୀମାନେ ଦଳ ଦଳ ହୋଇ ପୀଠ ନିକଟରେ ବିଚରଣ କରିଥାନ୍ତି । ମୟୂର ପକ୍ଷୀମାନଙ୍କ ସୁରକ୍ଷା ସାଙ୍ଗକୁ ପରିବେଶର ସ୍ବଚ୍ଛତା ପାଇଁ ଶାନ୍ତିଝର ଉନ୍ନୟନ କମିଟି ସର୍ବଦା ଗୁରୁତ୍ବ ଆରୋପ କରୁଥିବାରୁ ବର୍ଷ ସାରା ଏଠାକୁ ପିକନିକ ପାଇଁ ଲୋକେ  ଆସନ୍ତି । ସମ୍ପ୍ରତି ଶାନ୍ତିଝର ଉନ୍ନୟନକମିଟି ଉଦ୍ୟମ କ୍ରମେ ହନୁମାନ ବାଟିକାରେ ଏକ 31ଫୁଟ ଉଚ୍ଚତାର ହନୁମାନ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ଏହା ମଧ୍ୟରେ ଆସିକା ସାଂସଦ ଅନିତା ସୁଭଦର୍ଶନି ଓ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସନ୍ତିଝର ପରିଦର୍ଶନ ପରେ ଏହାର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏସବୁ ସତ୍ତ୍ୱେ ଏହାର  ଭିତ୍ତି ଭୂମିର ବିକାଶ ସହ ଏହି ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି