ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ମାସ ୨୩ ତାରିଖରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ଖୋଲିବ ଖରିଫ୍ ଧାନ ମଣ୍ଡି । ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଚାଲିବ । ଏନେଇ ଶନିବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଅନୁଷ୍ଠିତ ଉପଖଣ୍ଡସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ,ଏଆରସିଏସ୍ ବିଜୟ କୁମାର ସାହୁ, ଆରଏମସି ସଂପାଦକ ସୁମନ୍ତ ସାହୁଙ୍କ ସମେତ ଚାଷୀ ପ୍ରତିନିଧି, ମିଲର୍ସ, ସମବାୟ ସମିତି ସମ୍ପାଦକ, ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟା ଯୋଗ ଦେଇଥିଲେ । ଚଳିତବର୍ଷ ଧାନ ବିକ୍ରି କରିବା ନିମନ୍ତେ ଉପଖଣ୍ଡର ୪୯ ହଜାର ୭୬୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ପଞ୍ଜିକକୃତ ଯୋଗ୍ୟ ଚାଷୀଙ୍କ ଠାରୁ ୧୨୧ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୩୬ଟି ଏସଏଚଜିଙ୍କ ଜରିଆରେ ଧାନ କିଣାଯିବ । ସରକାରଙ୍କୁ ଚାଉଳ ଫେରାଇଥିବା ଉପଖଣ୍ଡର ମିଲର୍ସ ଏଥିରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ସମସ୍ତ ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରି ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କ ଠାରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ ଏବଂ ଯେପରି ଅଧିକରୁ ଅଧିକ ପଞ୍ଜିକୃତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରି କରିପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ । ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଓ ଗ୍ରେଡ଼ ଏ ଧାନର ମୂଲ୍ୟ ୨୩୮୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହ ଇନପୁଟ ସହାୟତା ୭୩୧ ଟଙ୍କା ପ୍ରଦାନ କରାଯିବ । ରାଜ୍ୟ ବାହାରକୁ ହେଉଥିବା ଧାନ ଚାଲାଣ ଉପରେ ନଜର ରଖିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚାଷୀଙ୍କ ଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଇନପୁଟ ଓ ବୋନସ ଟଙ୍କା ଜମା କରାଯିବ । ଚାଷୀ ଏଫଏକ୍ୟୁ ମାନର ଧାନ ଧରି ମଣ୍ଡିକୁ ଆଣିବେ । ମଣ୍ଡି ପଏଣ୍ଟରେ ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ । ଧାନର ଗୁଣବତା ଚେକ୍ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ । ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସେହିପରି ଚଳିତ ଥର ସମସ୍ତ ମଣ୍ଡିରେ ଲାଗିଥିବା ସିସିଟିଭିକୁ ନେଇ ଉପଖଣ୍ଡ ମୁଖ୍ୟାଳୟରେ ଏକ କଂଟ୍ରୋଲ ରୁମ୍ ଖୋଲାଯିବ । ସେଥିରେ ଧାନ କିଣାବିକାର ସମସ୍ତ କାର୍ଯ୍ୟ ନିରୀକ୍ଷଣ କରାଯିବ । ବୈଠକରେ ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର, ସିଡିପିଓ, ବିପିସି,ଏମଆଇଙ୍କ ସମେତ ଆରଏମସି କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।