ଜାଡ଼ରେ ଥରୁଛି ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ପାରଦ ତଳ ମୁହାଁ, ସର୍ବନିମ୍ନ ତାପମାତ୍ରା 5.4 ଡିଗ୍ରୀ ରେକର୍ଡ କରିଛି ପାଣିପାଗ ବିଭାଗ…
ଅନୁସନ୍ଧାନ ଭାରତ(ବ୍ୟୁର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ୨/୩ ଦିନ ଶୀତ କମି ଯାଇଥିଲା । ମେଘୁଆ ପାଗ ଶୀତର ପ୍ରକୋପକୁ କିଛି ମାତ୍ରାରେ କମେଇ ଦେଇଥିଲା। କିନ୍ତୁ ବିଗତ ୪ ଦିନ ହେବ ଘୁ.ଉଦୟଗିରିରେ ପାରଦ ତଳ ମୁହାଁ ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଘୁ.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ ଯୋଗୁଁ ଅଞ୍ଚଳବାସୀଙ୍କ ଦୈନନ୍ଦିନ କାର୍ଯ୍ୟ ଧାରା ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଥଣ୍ଡା ଯୋଗୁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି । ଥଣ୍ଡାର ପ୍ରକୋପ ସମସ୍ତଙ୍କୁ ପ୍ରଭାବିତ କରିଛି । ସକାଳୁ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ମୋଟର ଯାତାୟାତରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ପ୍ରବଳ ଶୀତର ପ୍ରଭାବରେ ଘୁ.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନ ରାତି ଶୀତ ବସ୍ତ୍ର ବ୍ୟବହାର କରିବାକୁ ପଡ଼ୁଛି । ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ, ଗୁରୁବାର ୭.୪ ଡିଗ୍ରୀ ରେକର୍ଡ ହୋଇ ଥିବା ବେଳେ ଶୁକ୍ରବାର ୫.୪ ରେକର୍ଡ କରାଯାଇଛି । ଯାହାକି ଓଡିଶାର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ ହୋଇଛି l ଅସହ୍ୟ ଥଣ୍ଡା ଜାଡ଼ରେ ଦେହ କାଲ ମାରୁଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ଶୀତ ବସ୍ତ୍ର, ନିଆଁ ହିଁ ସାହା ଭରସା ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି । ଘୁ.ଉଦୟଗିରିରେ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଆଶା ବାନ୍ଧି ଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।