ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ, ଟୁଇଟ୍‌ ମାଧ୍ୟମରେ ବିଧାୟକଙ୍କ ଅଭିଯୋଗ …

ଭବାନୀପାଟଣା(ଭବାନୀ ଗହରିଆ): କଳାହାଣ୍ଡି ଜିଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ ମିଳିଛି । ଏ ନେଇ ବିଧାୟକ ସାଗର ନିଜ ଏକ୍ସରେ ଟୁଇଟ କରି ସୂଚନା ଦେଇଛନ୍ତି । ଭବାନୀପାଟଣା ଦେପୁର ଯୋନ ସଭାପତି ଉଦେପୂର୍‌ ଗ୍ରାମର ଦେବାନନ୍ଦ ଯୋଶୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବନ୍ଧୁକ ଛୁରୀ ଦେଖାଇ ବିଧାୟକ ସାଗରଙ୍କ ବ୍ୟକ୍ତିଗତ ବିଷୟରେ ତଥ୍ୟ ପ୍ରଦାନ ନ କଲେ ଜୀବନରୁ ମାରିଦେବାକୁ ସମୟ ଲାଗିବ ନାହିଁ ବୋଲି ଧମକ ଦେଇଥିଲେ । ଏପରିକି ଦୁର୍ବୃତ୍ତମାନେ ତାଙ୍କ ମାଧ୍ୟମରେ ବିଧାୟକଙ୍କୁ ହତ୍ୟା ଧମକ ମଧ୍ୟ ପଠାଇଥିବା ଥିବା ଅଭିଯୋଗ ଆଣିଛନ୍ତି ବିଧାୟକ । ଯଦି ରାଜ୍ୟରେ ଜଣେ ନିର୍ବାଚିତ ବିଧାୟକ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକେ କିପରି ସୁରକ୍ଷିତ ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ଯୋନ ସଭାପତି ଦେବାନନ୍ଦ ଯୋଶୀ ଭବାନୀପାଟଣା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।