ରା ଉଦୟଗିରି(ଆକାଶ ଦାସ): ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା ପାଇଁ ଅନୁଷ୍ଠିତ ହେଉଅଛି ଶିଶୁ ମହୋତ୍ସବ ସୁରଭି । ଏହି ସୁରଭି କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ପାଳନ କରାଯାଇଥାଏ । ଭାଷଣ, ସଙ୍ଗୀତ, ସାଧାରଣ ଜ୍ଞାନ, ଚିତ୍ର ଏବଂ ନୃତ୍ୟ ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତାମାନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥାଏ । ଏହା ସହିତ ଶିକ୍ଷାର୍ଥୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ଆଦିର ବିକାଶ ପାଇଁ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ ଆଦି ପ୍ରଦର୍ଶିତ ହୋଇଥାଏ । ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିର ଦଶମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ମଣ୍ଟୁ ରଇତ ଏବଂ ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରିୟା ଗମାଙ୍ଗ ଏହି ରାଜ୍ୟ ସ୍ତରୀୟ ସୁରଭିରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମାନେ ଗଜପତି ଜିଲ୍ଲାର ଆଞ୍ଚଳିକ ସଉରା ଭାଷାରେ ଗଳ୍ପ ଏବଂ ଗୀତ ରଚନା କରି ଜିଲ୍ଲାରେ ଶ୍ରେଷ୍ଠ ବିବେଚିତ ହୋଇ ସାହିତ୍ୟ ସୃଜନୀ ତରଫରୁ ରାଜ୍ୟ ସ୍ତରୀୟ ସୁରଭିରେ ଯୋଗ ଦେବାକୁ ମନୋନୀତ ହୋଇଥିଲେ । ସାହିତ୍ୟ ସୃଜନୀର ପ୍ରଶିକ୍ଷକ ଶ୍ରୀଯୁକ୍ତ ଟି.ବିଦିକଙ୍କ ପ୍ରରୋଚନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏମାନଙ୍କର ମାର୍ଗ ଦର୍ଶକ ରୂପେ କାର୍ଯ୍ୟ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପୂର୍ଣ୍ଣ ସହଯୋଗ କରିବା ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ପ୍ରେରଣା ପ୍ରଦାନ କରିଥିଲେ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଲାଗି ଏପରି ସୁଯୋଗ ସୃଷ୍ଟି କରୁଥିବାରୁ ବିଦ୍ୟାଳୟ ତରଫରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।