କାର୍ତ୍ତିକ ପୂର୍ଣ୍ଣିମାରେ ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ହେଇଯାଇଛି । ଆଜି ସକାଳୁ ସକାଳୁ ଗ୍ରାମରେ ଆଖ ପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମନ୍ଦିର ମାଳିନୀ ବଡକୋଦଣ୍ଡା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଗୋପୀନାଥ ମନ୍ଦିର, ରଘୁନାଥ ମନ୍ଦିର, ଯଜ୍ଞନାରାୟଣ ମନ୍ଦିର, ଗଣେଶ ମନ୍ଦିର,ସରସ୍ବତୀ ମନ୍ଦିର, ମହା ଲକ୍ଷ୍ମୀ ମନ୍ଦିର, ଶନିଦେବଙ୍କ ମନ୍ଦିର, ବିରୁପାକ୍ଷ ସ୍ବାମୀ ମନ୍ଦିର, ତ୍ରିନାଥ ମନ୍ଦିର,ମା’ ଠାକୁରାଣୀଙ୍କ ମନ୍ଦିର, ସନ୍ତେଷୀ ମା’ଙ୍କ ମନ୍ଦିର, ମା’ ମଙ୍ଗଳାଙ୍କ ମନ୍ଦିର, ଶ୍ରୀ ହନୁମାନ ମନ୍ଦିର ରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ସହ ଏହି ଡେରା କଳାକୃତୀ ବୁଲି ଦେଖିଥିଲେ । କାଠ, ବାଉଁଶ ଆଦିରେ ନିର୍ମିତ ବିଭିନ୍ନ ପଶୁ, ପକ୍ଷୀ ତଥା ରାମ, ରାବଣ, ହନୁମାନ ଆଦିଙ୍କ ସୁଉଚ୍ଚ ମୂର୍ତ୍ତୀ ବା କଣ୍ଢେଇ ଗ୍ରାମର ବଡଦାଣ୍ଡରେ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ଡେରି କରି ରଖାଯାଉ ଥିବାରୁ ଏହା ଡେରା ବେଶ ନାମରେ ଖ୍ୟାତ ।  ଏହାକୁ ପ୍ରତି ବର୍ଷ ପ୍ରଦର୍ଶନ କରାଯିବା ସହ ଗାଁର କଳା, ସଂସ୍କୃତି, ଐତିହ୍ୟକୁ ସୁରକ୍ଷା କରିବା ସହ କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତି ବର୍ଷ ଏହି ଡେରାବେଶ ଅନୁଷ୍ଠିତ ହୁଏ । ଏହାକୁ ହଜାର ହଜାର ଶ୍ରଦ୍ଧାଳୁ ଦେବ ଦର୍ଶନ ସମୟରେ ଦେଖି ଆନନ୍ଦିତ ହୋଇଥାନ୍ତି । ଗ୍ରାମବାସୀଙ୍କ ସହଯୋଗରେ ପ୍ରତି ବର୍ଷ ପରି ଏହି ବେଶ ପ୍ରଦର୍ଶନ କରାଯାଇଥିବାରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁମାନେ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି । ଏହି ବେଶର ସୁରକ୍ଷା ତଥା ଅଧିକ ଲୋକପ୍ରିୟତା ପାଇଁ ସରକାରୀ ସ୍ତରରେ ସହଯୋଗ ଜରୁରୀ ବୋଲି କଳାକାରମାନେ ମତବ୍ୟକ୍ତ କରିଛନ୍ତି ।