ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଥିବା ଶବବୁହା (ମହାପ୍ରୟାଣ) ଗାଡ଼ିର ଯାନ୍ତ୍ରିକ ତ୍ରୁଟି ରହିଥିବା ବେଳେ ତାହା ସାଧାରଣ ଲୋକଙ୍କୁ ସେବା ଯୋଗାଇ ପାରୁନି । ଏହା ସହ ଗାଡିର ଚାଳକ ମଧ୍ୟ ନାହାନ୍ତି । ଫଳରେ ଘରୋଇ ଶବବୁହା ଗାଡି ଉପରେ ଲୋକଙ୍କୁ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମେଡିକାଲରେ ତୁରନ୍ତ ମହାପ୍ରୟାଣ ଗାଡିର ମରାମତି କରି ସେବା ଯୋଗାଇବା ସହ ରୋଗୀଙ୍କୁ ଯଥାଶୀଘ୍ର ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ କଂଗ୍ରେସ ଦାବି କରିଛି । କଂଗ୍ରେସ ନେତା କୁଲୁ ଭୁୟାଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜନଶୁଣାଣୀର ଦ୍ବାରସ୍ଥ ହୋଇ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି । ଦାନ ମାଝି ସ୍ତ୍ରୀର ଶବ କାନ୍ଧେଇବା ଘଟଣାରେ ତତ୍କାଳୀନ ସରକାର ବଦନାମ୍ ହେବା ପରେ ଏହି ଯୋଜନା ଆଣିଥିଲେ ସରକାର । ଯୋଜନା ଅନୁସାରେ କୌଣସି ଶବକୁ ଆଉ ପରିବାର ଲୋକ କାନ୍ଧ, ସାଇକେଲ, ଟ୍ରଲି ବା ଅଳିଆବୁହା ଗାଡ଼ିରେ ନନେଇ ସମ୍ମାନର ସହ ଏକ ସ୍ବତନ୍ତ୍ର ଗାଡ଼ିରେ ଘର ପର୍ଯ୍ୟନ୍ତ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା । ଯୋଜନା ଅନୁସାରେ ସ୍ୱଳ୍ପ ଟଙ୍କାରେ ଭଞ୍ଜନଗର ମେଡିକାଲରେ ମଧ୍ୟ ଏହି ସେବା ଉପଲବ୍ଧ ହୋଇଥିଲା । ଯାହାକି ସାଧରଣରେ ଆଦୃତ ଲାଭ କରିଥିଲା । ହେଲେ ଗତ କିଛି ମାସ ହେବ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଥିବା ଏହି ମହାପ୍ରୟାଣ ସେବା ବନ୍ଦ ରହିଛି । ମହାପ୍ରୟାଣ ଗାଡିର ଯାନ୍ତ୍ରିକ ତ୍ରୁଟି ଥିବା ଦର୍ଶାଇ ମେଡିକାଲ କର୍ତ୍ତୃପକ୍ଷ ଏହି ସେବାକୁ ବନ୍ଦ କରିଛନ୍ତି । ଫଳରେ ସାଧାରଣ ଗରିବ ଲୋକ ଘରୋଇ ଶବ ବୁହା ଗାଡି ଉପରେ ଭରସା କରି ଆର୍ଥିକ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ସେହିଭଳି ଭଞ୍ଜନଗର ମେଡିକାଲରେ ଗୁରୁତର ଥିବା ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମଧ୍ୟ ଠିକ୍ ସମୟରେ ମିଳୁନଥବା ବରିଷ୍ଠ ଆଇନଜୀବୀ ଖରାସୁଂ ଶେଖର ଦାସ ଅଭିଯୋଗ କରିଛନ୍ତି । ମେଡିକାଲରେ ଯଥାଶୀଘ୍ର ଆମ୍ବୁଲାନ୍ସ ଓ ମହାପ୍ରୟାଣ ସେବା ସ୍ବାଭାବିକ କରିବାକୁ ଜନଶୁଣାଣୀ ଶିବିରରେ କଂଗ୍ରେସ ଦାବି କରିଛି । ମେଡିକାଲରେ ଉଭୟ ସେବା ଯଥାଶୀଘ୍ର ସ୍ବାଭାବିକ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ନେତା ଶ୍ରୀ ଭୂୟାଁ ଚେତାବନୀ ଦେଇଛନ୍ତି ।