ତୁହାକୁ ତୁହା ବର୍ଷା,ଜନଜୀବନ ଅସ୍ତବ୍ୟସ୍ତ, ଗଛପଡି ରାଜ୍ୟ ରାଜପଥ ରାସ୍ତା ଅବରୋଧ….

ଭଞ୍ଜନଗର(ନିଲୁ ବିଷୋୟୀ): ବାତ୍ୟା ପ୍ରଭାବରେ ସୋମବାର ମଧ୍ୟାହ୍ନରୁ ଉପଖଣ୍ଡର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ମଙ୍ଗଳବାର ବର୍ଷାର ପରିମାଣ ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପଖଣ୍ଡର ଭଞ୍ଜନଗର ବ୍ଲକରେ ୨୩ ମିମି, ବେଲଗୁଣ୍ଠାରେ ୨୧ ମିମି, ଜଗନ୍ନାଥପ୍ରସାଦରେ ୨୦.୨ ମିମି, ବୁଗୁଡାରେ ୨୧ ମିମି, ଆସିକାରେ ୪୫.୮ ମିମି, ଧରାକୋଟରେ ୩୫ ମିମି, ଶେରଗଡ଼ରେ ୫୪ ମିମି ଓ ସୋରଡ଼ା ବ୍ଲକରେ ୨୭ ମିମି ବର୍ଷା ହୋଇଥିବା ଜଣାପଡିଛି । ବର୍ଷା ଲାଗି ରହିଥିବାରୁ ଉପଖଣ୍ଡର ଚାରି ଜଳଭଣ୍ଡାର ସମେତ ଋଷିକୁଲ୍ୟା, ବଡ,ବୋଡା, ପଦ୍ମା ଓ ଜରଉ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଭଞ୍ଜନଗର ଜଳସଂପଦ ବିଭାଗର ବନ୍ୟା ନିୟନ୍ତ୍ରଣ କକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୮୯.୨୩ ପ୍ରତିଶତ, ଡହରେ ୮୬.୭୯ ପ୍ରତିଶତ, ସୋରଡ଼ା ଜଳଭଣ୍ଡାରରେ ୯୨. ୮୮ ପ୍ରତିଶତ ଓ ବାଘୁଆ ଜଳଭଣ୍ଡାରରେ ୬୧.୪୩ ପ୍ରତିଶତ ଜଳ ରହିଛି । ବର୍ଷା ଓ ବନ୍ୟା ଆଶଙ୍କାରେ ଜଳଭଣ୍ଡାର ସୁରକ୍ଷା ପାଇଁ ଡହ ଓ ସୋରଡ଼ା ଜଳଭଣ୍ଡାରରୁ ଜଳ ଛଡାଯାଉଛି । ଏଥିପାଇଁ ତଳିଆ ଅଞ୍ଚଳ ଲୋକେ ସତର୍କ ରହିବାକୁ ଡ଼ାକବାଜି ଯନ୍ତ୍ରରେ ସତର୍କ କରାଇ ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଉପଖଣ୍ଡର ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଛୋଟ ପିଲାଙ୍କୁ ବିସ୍କୁଟ, କ୍ଷୀର ଓ ବଡ଼ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଭୁସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ରାସ୍ତାକୁ ସିଲ୍ କରାଯାଇଛି । ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଅପରାହ୍ନରେ ଜଗନ୍ନାଥ ପ୍ରସାଦ ତାମନାଡ଼ ନିକଟ ୨୧ନଂ ରାଜ୍ୟ ରାଜପଥରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଖବର ପାଇ ଜଗନ୍ନାଥ ପ୍ରସାଦ ବିଦ୍ୟୁତ ବିଭାଗ କର୍ମଚାରୀ ଏବଂ ଦମକଳ ବାହିନୀ ପହଞ୍ଚି ଥିଲେ ରାସ୍ତାରେ ପଡ଼ିଥିବା ବୃକ୍ଷକୁ କଟି ବାହାର କରିଥିଲେ । କିଛି ସମୟ ପାଇଁ ଗାଡି ମଟର ଅଟକି ରହିଥିଲା । ଦମକଳ ବାହିନୀ ପକ୍ଷରୁ ଗଛକୁ କାଟି ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।