ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ବିଜ୍ଞାନ ଓ ଗଣିତ ଶିକ୍ଷକ, ଶିକ୍ଷାରୁ ବଞ୍ଚିତ ୧୮୦ ଛାତ୍ରଛାତ୍ରୀ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି  ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କ ପାଠପଢ଼ାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି । ବିଶେଷ କରି ହାଇସ୍କୁଲ ଶିକ୍ଷକ ପଦବୀ ଗୁଡିକ ଖାଲି ପଡିଥିବା ଯୋଗୁଁ ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଅନ୍ୟ ପଟେ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଆଉ କିଛି ମାସ ବାକିଥିବା ବେଳେ ଶିକ୍ଷକ ଅଭାବ ପିଲାମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବିଦ୍ୟାଳୟରେ ୧୮୦ଜଣ ଛାତ୍ରୀ ପାଠ ପଢ଼ୁଥିବା ବେଳେ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଜଣେ ଅତିଥି ଶିକ୍ଷକ ଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି l କିନ୍ତୁ ବିଦ୍ୟାଳୟ ଆରମ୍ଭ ହେବାର ୫ବର୍ଷ ବିତିଯାଇଥିଲେ ସୁଦ୍ଧା  ଆଜି ପର୍ଯ୍ୟନ୍ତ  ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତ ହୋଇ ନାହାନ୍ତି l ଯାହା ଫଳରେ ଛାତ୍ରଛାତ୍ରୀମାନେ ଗଣିତ ଓ ବିଜ୍ଞାନ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି l  ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ଶିକ୍ଷକ ନିଯୁକ୍ତ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି କରାଯାଇନାହିଁ l ଯଥା ଶୀଘ୍ର ଗଣିତ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୁକ୍ତ କରାନଗଲେ ସ୍କୁଲ ବନ୍ଦ କରି ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଛାତ୍ରଛାତ୍ରୀମାନେ କହିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚିତ୍ରସେନ ପ୍ରଧାନ ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସମାଧାନ ହୋଇନଥିବା ଅଭିଭାବକ  ପ୍ରତିମା ପ୍ରଧାନ, ଅରୁଣ ପ୍ରଧାନ, ପବିତ୍ର ପ୍ରଧାନ, ଗଶ୍ରୀ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି l ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି l