ପର ପିଣ୍ଡାରେ ଅଙ୍ଗନବାଡି କେନ୍ଦ୍ର…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ୩୪ଟି ଅଙ୍ଗନବାଡି କେନ୍ଦ୍ର ମୁଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି । ଯଥା : ବୃଷଭ, ଗାଇବା, ବଡ଼ କଲାକଟ, ରେଗିଡ଼ି, ତୁମୁଲ, କୁଜାସିଂ ଓ ସେରଙ୍ଗ ଆଦି ପଞ୍ଚାୟତର ଏସବୁ କେନ୍ଦ୍ରରେ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଅସୁରକ୍ଷିତ ଭାବେ କୋମଳ ମତି ଶିଶୁଙ୍କ ଭବିଷ୍ୟତ କର୍ମଚାରୀଙ୍କ ବାରଣ୍ଡା କିମ୍ବା ଗାଁ କୋଠ ଘରେ ବର୍ଷ ବର୍ଷ ଧରି ଅସୁରକ୍ଷିତ ଭାବେ ପାଠ ପଢା ଚାଲିଥିବା ଦେଖିବାକୁ ମିଳିଛି । ଯାହାଫଳରେ କ୍ଷୁର୍ଣ୍ଣ ହେଉଛି ଶିଶୁଙ୍କ ପ୍ରାକ ଶିକ୍ଷା ବ୍ୟବସ୍ଥା ଏବଂ ଶିଶୁର ପ୍ରାକ ଶିକ୍ଷା ବିକାଶ ହେବା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି । ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁର ସ୍ୱାସ୍ଥ୍ୟର ଯତ୍ନ ସହ ଶିଶୁର ଜ୍ଞାନର ଅଭିବୃଦ୍ଧି ପାଇଁ  ବିଶେଷ ଧ୍ୟାନ ଦିଆ ଯାଉଛି l କିନ୍ତୁ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିବା ବେଳେ ପେଟି ଠିକାଦାର ଓ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ପ୍ରିୟାପ୍ରୀତି ମନୋଭାବ ଯୋଗୁଁ ଏସବୁ କେନ୍ଦ୍ର ଗୃହ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ବାକି କିଛି କେନ୍ଦ୍ରରେ ସମ୍ପୂର୍ଣ୍ଣ ଗୃହ ନିର୍ମାଣ ସରିଥିଲେ ମଧ୍ୟ ବକେଆ ଟଙ୍କା ନଦେବାରୁ ପେଟି ଠିକାଦାରମାନେ ନିଜ ଅଧୀନରେ ଅକ୍ତିଆର କରିଥିବା ଦେଖିବାକୁ ମିଳିଛି । ଏନେଇ ଶ୍ରେଣୀ ଗୃହ ନିର୍ମାଣ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବା ସହ ବିଡ଼ିଓଙ୍କୁ ଏବାବଦରେ ଜଣେଇଛୁ ବୋଲି ସିଡ଼ିପିଓ ପୁଷ୍ପାଞ୍ଜଳି ସାହୁ କହିଛନ୍ତି । ତେବେ ବର୍ଷ ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ପଢ଼ୁଥିବା ଛୋଟ ଛୋଟ ଶିଶୁଙ୍କୁ ଶ୍ରେଣୀ ଗୃହ ଯୋଗାଇବାରେ କର୍ତ୍ତୃପକ୍ଷ କେତେ ତତ୍ପର ତାହା ସମୟ ସାପେକ୍ଷ ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି ।