ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟର ସ୍ନାତକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ବେସରକାରୀ କର୍ମଚାରୀମାନେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ ମଙ୍ଗଳ ବାର ଦିନ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ କଲେଜ ପରିଚାଳନା କମିଟି ଦ୍ଵାରା ୨୦୦୮ମସିହା ରୁ ୨୦୧୮ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀମାନେ ସ୍ୱଳ୍ପ ବେତନରେ କାର୍ଯ୍ୟ କରି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ପରିସର ଭୂକ୍ତ ହୋଇ ପାରି ନାହାନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଠାରେ ସଂଘ ପକ୍ଷରୁ ୧୫ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ଥିଲେ ମଧ୍ୟ ସରକାର କୌଣସି ଗୁରୁତ୍ବ ଦେଉନଥିବାରୁ ଗତ ଅଗଷ୍ଟ ମାସ ୧୬ତାରିଖ ଶିକ୍ଷକ ଦାବୀ ଦିବସ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ ରହିଛି । ସଙ୍ଘର ମହାବିଦ୍ୟାଳୟ ସଂଯୋଜକ ମନୋରଞ୍ଜନ ବଳିଆର ସିଂଙ୍କ ତତ୍ତ୍ଵାବଧାନରେ ମଙ୍ଗଳ ବାର ଦିନ ଋଷିମାଳ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସରକାରଙ୍କ ନୂତନ ଅନୁଦାନ ନୀତି ଘୋଷଣା ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ସଂଘର ସଂଯୋଜକ ମନୋରଞ୍ଜନ ବଳିଆର ସିଂଙ୍କ ସମେତ ଅନ୍ୟ କର୍ମଚାରୀମାନେ ପ୍ରକାଶ କରିଛନ୍ତି ।