ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଧରାକୋଟ ଗଡର ପଶ୍ଚିମ ପାର୍ଶ୍ଵରେ ଥିବା ପ୍ରସିଦ୍ଧ ପର୍ଯଟନ ସ୍ଥଳ ଶାନ୍ତିଝର ଦୀର୍ଘ ଦିନର ନିରବତା ପରେ ଉଚ୍ଛୁଳି ଉଠିଛି । ଯାହା ଫଳରେ ଚଳିତ ବର୍ଷ ପର୍ଯ୍ୟଟକମାନେ ଅଧିକ ପରିମାଣରେ ଏଠାକୁ ଆସିବା ପାଇଁ ପାଗ ଅନୁକୂଳ ହୋଇଛି । ଦୀର୍ଘଦିନ ଧରି ବର୍ଷା ନଥିବା ଯୋଗୁଁ ଶାନ୍ତିଝରର ଝର କମି ଯାଇଥିଲା । ତଳ ଭାଗରେ ଥିବା ମା କଠୁଳିଆ ଦେବୀ ମଧ୍ୟ ଭାଗରେ ଥିବା ମା ଗଡଚଣ୍ଡୀ ଓ ଉପର ଭାଗରେ ଥିବା ହନୁମାନ ବାଟିକାର ପରିବେଶ ସବୁଜିମାମୟ ହୋଇ ଉଠିଛି । ସଂପ୍ରତି ଶାନ୍ତିଝର ଶିଖର ଦେଶରେ ଏକ 36 ଫୁଟର ହନୁମାନ ବିଗ୍ରହ ନିର୍ମାଣଧିନ ରହିଛି । ସୁଳିଆ ପାହାଡ ଉପରୁ କୁଳୁ କୁଳୁ ନାଦରେ ଝର ତୀବ୍ର ବେଗରେ ଝରି ଆସୁଥିବାରୁ ପରିବେଶ ଅତୀବ ମନୋରମ ହୋଇ ଉଠିଛି । ମନୋରମ, ଶାନ୍ତ, ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ସ୍ଥାନ ଅତି ଉତ୍କୃଷ୍ଟ ସାବ୍ୟସ୍ତ ହେଇଛି । ଜିଲ୍ଳା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ବଣ ଭୋଜି ସାଙ୍ଗକୁ ମୟୂରମାନଙ୍କ ନୃତ୍ୟ ଦେଖିବା ପାଇଁ ଏଠାକୁ ଆସନ୍ତି । ଶାନ୍ତି ଝରକୁ ଆସିବା ପାଇଁ ଉତ୍ତମ ସଡକପଥ ରହିଥିବା ବେଳେ ବୃକ୍ଷ ଚାରିପଟେ ରହିଥିବା ପିଣ୍ଡିରେ ବସି ପ୍ରକୃତିର ମନୋଲୋଭା ଦୃଶ୍ୟକୁ ଉପଭୋଗ କରିବାରର ଏକ ନିଆରା ଅନୁଭୁତି ଏଠାରେ ପର୍ଯ୍ୟଟକମାନଙ୍କୁ ମିଳିଥାଏ । ଚଳିତ ବର୍ଷର ସ୍ଵାଭାବିକ ଓ ଲଗାଣ ବର୍ଷା ଏହି ସ୍ଥାନର ସୋଭାକୁ ଦ୍ଵିଗୁଣିତ କରିଛି । ଶ୍ରୀ ମା କାଠୁଳିଆ ପବିତ୍ର ପୀଠରେ ମଧ୍ୟ ବଣ ଭୋଜି ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି ।